ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ୍ ଦାଖଲ କରିଛି । ଲୁଟ୍ ଘଟଣାରେ ୧୧ ମାଓବାଦୀଙ୍କ ସମ୍ପୃକ୍ତି ଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ରେ ସିପିଆଇ ମାଓଇଷ୍ଟ ଟେରର୍ ଅର୍ଗନାଇଜେସନର ସଦସ୍ୟମାନେ ବିସ୍ଫୋରକ ଲୁଟ କରିଥିବା ଦର୍ଶାଯାଇଛି । ଅଭିଯୁକ୍ତମାନେ ହେଲେ ଜାରଜା ମୁଣ୍ଡା ଓରଫ କାଲୁ ମୁଣ୍ଡା, ଅନମୋଲ ଓରଫ ସୁଶାନ୍ତ, ରମେଶ ଓରଫ ପ୍ରୀତମ ମାଝୀ, ପିଣ୍ଟୁ ଲୋହରା, ଲାଲଜିତ, ଶିବ ବୋଦରା, ଅମିତ ମୁଣ୍ଡା, ବୀରେନ ସିଂହ, ରାଜେଶ, ରଙ୍ଗା ପୁନେମ, ଚନ୍ଦ୍ର ମୋହନ ହାଁସଦା । ଦେଶର ସୁରକ୍ଷା ଓ ସ୍ଥିରତାକୁ ଭଙ୍ଗ କରିବା ପାଇଁ ବିସ୍ଫୋରକ ଲୁଟ୍ କରାଯାଇଥିଲା ବୋଲି ଏନଆଇଏ ସ୍ପଷ୍ଟ କରିଛି ।
ଏଥିରେ ବାରୁଦ ତିଆରି କରୁଥିବା ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କ ନାଁ ଉଲ୍ଲେଖ ନାହିଁ । ତେଣୁ ଶ୍ରବଣ ଓ ତାଙ୍କ ପତ୍ନୀଙ୍କୁ ଏନଆଇଏ କ୍ଲିନ୍ ଚିଟ୍ ମିଳିଛି । ଏଥିରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ନିକିତାଙ୍କ ନାମରେ ବାରୁଦ ଗୋଦାମ ଚାଲୁଥିଲା ।
ମେ’ ୨୭ ତାରିଖରେ ଆଇଟିଏମଏ ଗୋଦାମରୁ ବାଙ୍କୋ ପଥର ଖଣିକୁ ଯାଉଥିବାବେଳେ ବିସ୍ଫୋରକ ଭର୍ତ୍ତି ଟ୍ରକକୁ ମାଓବାଦୀମାନେ ଅଟକାଇ ଥିଲେ । ୨୦୦ ପ୍ୟାକେଟ୍ ଭର୍ତ୍ତି ଥିବା ୪୦୦୦ କିଲୋଗ୍ରାମର ବିସ୍ଫୋରକକୁ ମାଓବାଦୀମାନେ ବନ୍ଧୁକ ମୁନରେ ଲୁଟ୍ କରିଥିଲେ । ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ପୋଲିସର ମିଳିତ ଉଦ୍ୟରେ ପ୍ରାୟ ଦୁଇ ମାସ ଧରି ବିଭିନ୍ନ ସମୟରେ ଉକ୍ତ ବିସ୍ଫୋରକକୁ ଉଦ୍ଧାର କରାଯାଇଥିଲା । ଘଟଣାର ଗୁରୁତ୍ୱ ଦେଖି ଏନଆଇଏକୁ ତଦନ୍ତଭାର ନ୍ୟସ୍ତ କରାଯାଇଥିଲା ।
ଅଧିକ ପଢ଼ନ୍ତୁ- ମାଲକାନଗିରି ଉତ୍ତେଜନା: ପହଁଚିଲେ ଉପମୁଖ୍ୟମନ୍ତ୍ରୀ, ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା