ଭୁବନେଶ୍ୱର: ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ଉପରେ ମହମ୍ମଦ ମୋକିମ୍ ଖୋଲା ଖୋଲି ପ୍ରଶ୍ନ ଉଠାଇବା ପରେ କଂଗ୍ରେସ ଦଳରେ ଏବେ କମ୍ପନ ସୃଷ୍ଟି ହୋଇଛି । କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି ଦଳର ବରିଷ୍ଠ ନେତା ସୁର ରାଉତରାୟ । ଝିଅ ସୋଫିଆର ଭବିଷ୍ୟତକୁ ବରବାଦ କର ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସୁର ।
ସୁର ରାଉତରାୟ ଗୁରୁବାର ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହମ୍ମଦ ମୋକିମଙ୍କର ଯାହା ଅଭିଯୋଗ କୁହନ୍ତୁ । କିନ୍ତୁ ଗଣମାଧ୍ୟମକୁ ଆସିବା ଠିକ୍ ନ ଥିଲା । ହଜାର ହଜାର କୋଟିପତି ଅଛନ୍ତି । କଂଗ୍ରେସ ଦଳ ଟିକେଟ୍ ଦେଇ ପରିଚୟ ଦେଇଥିଲା । ତାଙ୍କୁ ନେହେରୁ ପରିବାର କିମ୍ବା କଂଗ୍ରେସ ଦଳ ଧୋକା ଦେଇ ନାହିଁ । କଂଗ୍ରେସକୁ ଶସ୍ତା କର ନାହିଁ । ନିଜ ଝିଅକୁ ବି ଟିକେଟ୍ ମିଳିଛି । ଝିଅ ସୋଫିଆର ଭବିଷ୍ୟତକୁ ବରବାଦ କରନ୍ତୁ ନାହିଁ । ସେ ଉଜ୍ଜ୍ୱଳ ନେତ୍ରୀ । ତୁମେ ବେପାର କରି ଝିଅକୁ ସ୍ୱାଧୀନତା ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ସୁର ସମସ୍ତ ବରିଷ୍ଠ ନେତାଙ୍କୁ ଏକାଠି ହୋଇ ସମାଧାନ କରିବାକୁ ଆହ୍ୱାନ କରିଛନ୍ତି ।
ଏହି ଛଳରେ ସୁର ନିଜର ଅତୀତର ଦୁଃଖ ମଧ୍ୟ ବଖାଣିଛନ୍ତି । ସେ କହିଛନ୍ତି ଯେ ମୋତେ ବି ଅନେକ ନେତା ଅପଦସ୍ତ କରିଛନ୍ତି । ସଭାରେ ବସିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ଦାୟିତ୍ୱରୁ ହଟାଇ ଦିଆଯାଇଥିଲା । ସେହିପରି 9ଟାବେଳେ ଭୁବନେଶ୍ୱର ସଭାପତି ଘୋଷଣା କରି ପୁଣି ଦିନ ୩ଟାରେ ଆଉ ଜଣଙ୍କୁ ସଭାପତି ଘୋଷଣା କରିଛନ୍ତି । ତଥାପି ସେ କେବେ କଂଗ୍ରେସ ଦଳକୁ ଛାଡ଼ି ନାହାଁନ୍ତି ବୋଲି କହିଛନ୍ତି ସୁର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଅସନ୍ତୋଷ ଝାଡିଛନ୍ତି । ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ଦଳର ନେତୃତ୍ୱ ମିଳିଛି । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା। ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ ରାଜ୍ୟ ବିଭାଜନକାରୀ ନେତା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟ୍ରେ ହାରିଛି। ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶଜନକ ହୋଇଛି । ନିଜ ସଂସଦୀୟ କ୍ଷେତ୍ର ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ ବୋଲି ମୋକିମ ଅନେକ ଅଭିଯୋଗ ଆଣିଛନ୍ତି ।