ମୟୁରଭଞ୍ଜ: ପ୍ରବଳ ଶୀତରେ ଥରୁଛି ସାରା ରାଜ୍ୟ। ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟ ପ୍ରବଳ ଜାଡ। ୩ ଡିଗ୍ରୀକୁ ଖସିଲା ପାରଦ। ସେଠାରେ ଜନଜୀବନ ଅସ୍ତବ୍ୟସ୍ତ। ଶୀତ ସାଙ୍ଗକୁ କୁହୁଡି ଦେଖି ଲାଗୁଛି ସତେ ଯେମିତି ଧଳା ଚାଦର ତଳେ ଘୋଡେଇ ହୋଇଛି ଶିମିଳିପାଳ।
ତେବେ ଯଶୀପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଆଜି(ଗୁରୁବାର) ସକାଳ ୬ଟା ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚହଲାରେ ୫ ଡିଗ୍ରୀ, ନଅଣା ଠାରେ ୬ ଡିଗ୍ରୀ ଓ ଗୁଡ଼ଗୁଡିଆରେ ୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନା ଅନୁସାରେ, ରାଜ୍ୟରେ ଧୀରେ ଧୀରେ ପାରଦ ଖସିବା ସହିତ, ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୧୩ ଡିଗ୍ରୀ ରହିଛି । ଗତ ୧୦ ଦିନରେ ରାଜଧାନୀରେ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିଥିବା ବେଳେ ଗତ ୧ ତାରିଖରେ ରାଜଧାନୀରେ ତାପମାତ୍ରା ଥିଲା ୨୨.୬ ଡିଗ୍ରୀ। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଏହି ସ୍ଥିତି ଲାଗି ରହିଛି। ଶୀତର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲେଣି। ଘନ କୁହୁଡି ପାଇଁ ଜୀବନ ଯାତ୍ରା ଅଚଳ ହୋଇପଡିଛି । ଉତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରଭାବରେ ଏଭଳି ପାଣିପାଗ ଅନୁଭୂତ ହେଉଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଲୋକ ମାନେ ଶୀତ ଦାଉରୁ ରକ୍ଷାପାଇବା ପାଇଁ ନିଆଁ ଜାଳି ପୋଉଁଥିବା ଦେଖିବାକୁ ମିଳିଛି।