ଭଦ୍ରକ: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଔଷଧ ଦୋକାନରୁ ବାହାରିଲା ପୁଳା ପୁଳା ମଦ ବୋତଲ । ଔଷଧ ବଦଳରେ ଚାଲିଥିଲା ମଦ ବେପାର । ଭଦ୍ରକ ସହର ବାଇପାସ୍ ନିକଟରେ ଏଭଳି ଏକ ଚୋରା ମଦ ବେପାର ଖୁଲାସା କରିଛି ଜନ ସ୍ୱାସ୍ଥ୍ୟ ବିଭାଗ ।
ପ୍ରାଥମିକ ସୂଚନା ମୁତାବକ, ଆଜି ଭଦ୍ରକ ସହରରେ ବାଇପାସ୍ ରୋଡରେ ଥିବା ଶ୍ରୀଗଣେଶ ନାମକ ଔଷଧ ଦୋକାନରେ ଜନ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଲାଇସେନ୍ସ ଯାଞ୍ଚ କରିବାକୁ ଆସିଥିଲା । ଲାଇସେନ୍ସ ଯାଞ୍ଚ ସମୟରେ ଏକ ବିଦେଶୀ ମଦ ବୋତଲ ଭର୍ତ୍ତି ପେଟି ମିଳିଥିଲା । ଏହା ପରେ ଟିମ୍ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲା । ପୋଲିସ ଉପସ୍ଥିତିରେ ଚଢ଼ଉ ହୋଇଥିଲା । ଏହା ପରେ ଦୋକାନ ଭିତରୁ ୩ଟି ମଦ ବୋତଲ ପେଟି ମିଳିଛି । ଏହା ସହିତ ଦୋକାନ ଭିତର ବଖରାରେ ମଦ ବୋତଲ ମଧ୍ୟ ମିଳିଥିଲା ବୋଲି ସୂଚନା ଦେଇଛନ୍ତି ଡ୍ରଗ୍ସ ଇନସ୍ପେକ୍ଟର ଦୀପକ ଜେନା ।
ସେପଟେ ଯାଞ୍ଚରୁ ଜଣାପଡ଼ିଛି ଯେ ଉକ୍ତ ଔଷଧ ଦୋକାନର ଲାଇସେନ୍ସ ୨୦୨୩ରୁ ଶେଷ ହୋଇଥିବାବେଳେ ତାହାକୁ ନବୀକରଣ କରାଯାଇନାହିଁ । ପ୍ରାୟ ୩ ବର୍ଷ ହେବ ବିନା ଲାଇସେନ୍ସ ଦୋକାନରେ ଔଷଧ ବିକ୍ରି ଜାରି ରହିଥିଲା । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।