ବାଲେଶ୍ୱର: ରାସ୍ତା କଡ଼ରୁ ସରକାରୀ ଔଷଧ ମିଳିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ । ଗୋଟିଏ ମେଡ଼ିକାଲ ଅଫିସରଙ୍କ ଟିମ୍ ଘଟଣାସ୍ଥଳକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଛନ୍ତି । ଔଷଧ ଫିଙ୍ଗିବା ଘଟଣାରେ ଯେଉଁ ସରକାରୀ ଅଧିକାରୀ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସିଡିଏଓ ।
ଆଜି ସକାଳରେ ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିଲୋମିଟର ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ପୁଳା ବୈଧ ସରକାରୀ ଔଷଧ ପଡ଼ିଥିବାରୁ ଦେଖିବାକୁ ମିଳିଥିଲା । ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରପ ପଡ଼ିରହିଛି । ଏହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଥିବା ବେଳେ ବ୍ୟାଚ ନମ୍ବର ସିଏଚଏସ-୫୦୦୬୫ ରହିଛି । ଔଷଧ ଗୁଡିକର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି । ମେଡ଼ିକାଲରେ ରୋଗୀ ଔଷଧ ପାଉ ନଥିବାବେଳେ କିଏ ଏବଂ କାହିଁକି ଏତେ ପରିମାଣର ସରକାରୀ ଔଷଧକୁ ଅଳିଆ ଗଦାରେ ଫିଙ୍ଗି ଦେଲା ତାହା ବଡ଼ ପ୍ରଶ୍ନ ।