ରାୟଗଡ଼ା: ଯାତ୍ରୀ ବସ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ପାଲୁପାଇ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ଦୁଇ ଛାତ୍ର ହେଲେ ଗୁଡାରି ସୌରା ସାହିର ଦେବେନ୍ଦ୍ର ଶବର (୨୧ ବର୍ଷ) ଓ ଅନ୍ୟ ଜଣେ ହେଲେ ଗୁଡାରି ଢେପାଗୁଡା ନିକଟସ୍ଥ ବଡଗୁଡାର ବିଷ୍ଣୁ ଶବର ।
ସୂଚନାନୁଯାୟୀ, ଗୁରୁବାର ସକାଳେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଦେବେନ୍ଦ୍ର ଶବର ଏବଂ ବିଷ୍ଣୁ ଶବର ଗୁଡାରୀରୁ ବାଡ଼ିସୋଲାକୁ ବାଇକରେ ଯାଉଥିଲେ । ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ଲାଞ୍ଜିଗଡ଼ରୁ ବ୍ରହ୍ମପୁରକୁ ଯାଉଥିବା ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣାସ୍ଥଳରେ ହିଁ ଉଭୟ ଛାତ୍ରଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ରାମନଗୁଡ଼ା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ:- ରାସ୍ତା କଡ଼ରୁ ଔଷଧ ମିଳିବା ମାମଲା: ଆରମ୍ଭ ହେଲା ତଦନ୍ତ