ନୂଆଦିଲ୍ଲୀ: ବିମାନ ବାତିଲ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ରାଶି ଦେବ ଇଣ୍ଡିଗୋ । ଯାତ୍ରୀମାନଙ୍କୁ ୧୦,୦୦୦ ଟଙ୍କା ପର୍ୟ୍ୟନ୍ତ କ୍ଷତିପୂରଣ ଦେବାକୁ ଇଣ୍ଡିଗୋ ଘୋଷଣା କରିଛି ।
ଡିଜିସିଏର ଶକ୍ତ ନିର୍ଦ୍ଦେଶ ପରେ ଡିସେମ୍ବର ୩, ୪ ଏବଂ ୫ ତାରିଖରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବାକୁ ଇଣ୍ଡିଗୋ ଘୋଷଣା କରିଛି । ସୋସିଆଲ ମିଡ଼ିଆରେ ଏକ ବିବୃତ୍ତି ଜାରି କରି ଇଣ୍ଡିଗୋ କହିଛି ଯେ ଏହି କ୍ଷତିପୂରଣ ବର୍ତ୍ତମାନର ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁମାନଙ୍କର ଉଡ଼ାଣ ୨୪ ଘଣ୍ଟା ମଧ୍ୟରେ ବାତିଲ ହୋଇଥିଲା ସେମାନଙ୍କୁ ୫,୦୦୦ ରୁ ୧୦,୦୦୦ ଟଙ୍କା ପର୍ୟ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ସେହିପରି ଏହି ଦିନ ମାନଙ୍କରେ ଅଧିକ ପ୍ରଭାବିତ ହୋଇଥିବା ଥିବା ଯାତ୍ରୀଙ୍କୁ କମ୍ପାନୀ ତରଫରୁ ଅତିରିକ୍ତ ୧୦ ହଜାର ଟଙ୍କା ଟ୍ରାଭେଲ୍ ଭାଉଚର ପ୍ରଦାନ କରାଯିବ । ଯାହାର ଅବଧି ଏକ ବର୍ଷ ଯାଏ ରହିବ । ଆସନ୍ତା ୧୨ ମାସରେ ମଧ୍ୟରେ ଇଣ୍ଡିଗୋରେ କୌଣସି ଯାତ୍ରାରେ ଏହାକୁ ବ୍ୟବହାର କରାଯାଇ ପାରିବ ।
ନିଜର ପଞ୍ଜିକୃତ ଇମେଲ୍ କିମ୍ବା ମୋବାଇଲ୍ ନମ୍ବରରେ ମେସେଜ୍ ଚେକ୍ କରିବାକୁ ଇଣ୍ଡିଗୋ ଯାତ୍ରୀମାନଙ୍କୁ କହିଛି । ଯେଉଁମାନଙ୍କ ଯାତ୍ରା ସମୟରେ ବାରମ୍ବାର ପରିବର୍ତ୍ତନ ହୋଇଛି କିମ୍ବା ଅଧିକ ସମୟ ବିମାନ ବନ୍ଦରରେ ଅପେକ୍ଷା କରିବାକୁ ପଡ଼ିଛି ସେହିମାନଙ୍କୁ ଭାଉଚର୍ ମିଳିବ । ଯେଉଁମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେମାନେ ଇମେଲ୍ କିମ୍ବା ମୋବାଇଲ୍ ଜରିଆରେ କମ୍ପାନୀକୁ ଜଣାଇଲେ ସେମାନଙ୍କୁ ଏହି ଭାଉଚର ମିଳିବ ।
ଅନ୍ୟପଟେ ଇଣ୍ଡିଗୋ ସିଇଓ ପିଟର୍ ଏଲବର୍ସ ଆଜି ବେସାମରିକ ମନ୍ତ୍ରଣାଳୟରେ ହାଜର ହୋଇଛନ୍ତି । ତାଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା ।