ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ହାୟୁଲିଆଙ୍ଗ-ଚଗଲାଗାମ ରାସ୍ତାରେ ୧୦୦୦ ଫୁଟ୍ ଘାଟି ତଳକୁ ଏକ ଏକ ଡମ୍ଫର୍ ଖସିପଡ଼ିଛି । ଫଳରେ ମାତ୍ର ଜଣେ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ୨୧ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତ ଶ୍ରମିକ ଆସାମର ତିନିସୁକିଆ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ସେନା ଦ୍ୱାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ମୃତକଙ୍କ ମଧ୍ୟରୁ ୧୯ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନେ ସମସ୍ତେ ଆସାମର ତିନସୁକିଆ ଜିଲ୍ଲାର ଗେଲାପୁଖୁରୀ ଚା ଇଷ୍ଟେଟର ଥିଲେ । ମୃତ କିମ୍ବା ନିଖୋଜ ହୋଇଥିବା ଅନ୍ୟ ଶ୍ରମିକମାନେ ରାହୁଲ କୁମାର, ସମୀର ଦୀପ, ଜୁନ୍ କୁମାର, ପଙ୍କଜ ମାଙ୍କି, ଅଜୟ ମାଙ୍କି, ବିଜୟ କୁମାର, ଅଭୟ ଭୂମିଜ, ରୋହିତ ମାଙ୍କି, ବୀରେନ୍ଦ୍ର କୁମାର, ଅଗର ତନ୍ତି, ଧୀରେନ ଚେତିଆ, ରଜନୀ ନାଗ, ଦୀପ ଗୋୱାଲା, ରାମଚାବକ ସୋନାର, ସୋନାତନ ନାଗ, ସଞ୍ଜୟ କୁମାର, କରଣ କୁମାର ଏବଂ ଜୋନାସ ମୁଣ୍ଡା ବୋଲି ଚିହ୍ନଟ କରାଯାଇଛି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ବ୍ୟକ୍ତି ହେଲେ ବୁଦ୍ଧେଶ୍ୱର ଦୀପ ।
ସେନା ଦ୍ୱାରା ଜାରି ପ୍ରେସ ବିବୃତ୍ତି ଅନୁସାରେ, ଚୀନ ସୀମା ନିକଟସ୍ଥ ଅରୁଣାଚଳ ପ୍ରଦେଶ ହାୟୁଲିଆଙ୍ଗ-ଚଗଲାଗାମ ରାସ୍ତାରେ ୨୨ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଡମ୍ଫର୍ ଭାରସାମ୍ୟ ହରାଇ ଘାଟିରେ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାଟି ଡିମେମ୍ବର ୮, ସୋମବାର ଘଟିଥିଲା । ମାତ୍ର ସେଠାରେ ନେଟୱାର୍କ ଠିକରେ ଆସୁ ନ ଥିବାରୁ ଏବଂ ରାସ୍ତା ସୁବିଧା ନ ଥିବାରୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପୋଲିସ ସୂଚନା ପାଇଥିଲା । ଶେଷରେ ଗୁରୁବାର ସକାଳୁ ପୋଲିସ ଏବଂ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା । ମାତ୍ର ୨୨ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।
ତେବେ ଜଣେ ବ୍ୟକ୍ତି ଜୀବିତ ଥିବା ଏକ ଭିଡ଼ିଓରୁ ସ୍ପଷ୍ଟ ହୋଇଛି । ସେ ହେଲେ ବୁଦ୍ଧେଶ୍ୱର ଦୀପ । ସେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସେ ତଳୁ ଉଠି ବହୁତ କଷ୍ଟରେ ରାସ୍ତା ଉପରକୁ ଆସିଥିଲେ ।
ସେନା ପ୍ରେସ୍ ବିବୃତ୍ତି ଅନୁଯାୟୀ, ଗାଡ଼ିଟି ବିପଦପୂର୍ଣ୍ଣ ପାହାଡିଆ ରାସ୍ତାରୁ ଓଲଟି ପଡ଼ି ପ୍ରାୟ ୨୦୦ ମିଟର ଘନ, ଦୁର୍ଗମ ଜଙ୍ଗଲ ଘେରା ଘାଟିରେ ଖସିପଡ଼ିଥିଲା। ୨୨ ଜଣ ଶ୍ରମିକ ଅରୁଣାଚଳ ପ୍ରଦେଶର ଏକ ନିର୍ମାଣ ସ୍ଥାନକୁ ଯାଉଥିଲେ । ଗାଡ଼ିଟି ଅତି କମରେ ୧,୦୦୦ ଫୁଟ ତଳକୁ ଖସି ପଡ଼ିଛି ବୋଲି କୁହାଯାଇଛି । ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।