ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନକୁ ଆଉ ଦୁଇଟି ହୁଲକ ଗିବନ୍ ଆସୁଛନ୍ତି । ଏଥ୍ସହ ହିମାଳୟ ଭାଲୁ ,ଘୁଷୁରୀ ଓ ଲାଞ୍ଜି ମାଙ୍କଡ଼ ମଧ୍ୟ ଆସିବେ । ଏଥିପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଯାହା ସୂଚନା ରହିଛି ଯେ ୨୮ ତାରିଖରେ ପ୍ରାଣୀ ଉଦ୍ୟାନର ଏକ ଟିମ୍ ମିଜୋରାମର ଆଇଜଲ ଚିଡିଆଖାନା ଗସ୍ତ କରିବେ । ସେଠାରୁ ଦୁଇଟି ହୁଲୁକ ଗିବନ ଯଥା ଅଣ୍ଡିରା ଓ ମାଈ । ଦୁଇଟି ଘୁଷୁରୀ ଲାଞ୍ଜି ମାଙ୍କଡ଼, (ଅଣ୍ଡିରା, ମାଈ) ଓ ଗୋଟିଏ ମାଈ ହିମାଳୟ କଳା ଭାଲୁ ଆସିବେ । ପ୍ରତିବଦଳରେ ମିଜୋରାମର ଆଇଜଲ ଚିଡ଼ିଆଖାନାକୁ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଦୁଇଟି ବାଘ ଯଥା ଅଣ୍ଡିରା ମହାବଳ ବାଘ 'କୁନ୍ଦନ' ଓ ବାଘୁଣୀ 'ଆଦ୍ୟାଶା' କୁ ପଠାଯାଇଛି ।
ତେବେ ପ୍ରାଣୀ ଉଦ୍ୟାନକୁ ଦୀର୍ଘ ବର୍ଷ ପରେ ହୁଲୁକ ଗିବନ ଆସୁଛନ୍ତି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଗତ ଜୁଲାଇ ୨୭ ତାରିଖରେ ଅରୁଣାଚଳ ପ୍ରଦେଶର ଇଟାନଗରରୁ ଦୁଇଟି ହୁଲୁକ ଗିବନ (ମାଈ,ଅଣ୍ଡିରା) ଆସିଛନ୍ତି । ସେମାନଙ୍କୁ ଏବେ କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏବେ ମିଜୋରାମରୁ ଦୁଇଟି ହୁଲୁକ ଗିବନ ଆସିଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୪କୁ ବୃଦ୍ଧି ହେବା ସହିତ ପର୍ଯ୍ୟଟକ ଭରପୁର ମନୋରଞ୍ଜନ କରିପାରିବେ ।
ଅଧିକ ପଢନ୍ତୁ ;- ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା