ନୂଆଦିଲ୍ଲୀ: ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା ବେଶ ରୋମାଞ୍ଚକର ରହିଥିଲା । ଭାରତ ଅତି ଶୋଚନୀୟ ଭାବେ ପାକିସ୍ତାନକୁ ପରାସ୍ତ କରିଛି । କିନ୍ତୁ ଟସ୍ ବେଳେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ମ୍ୟାଚ୍ ସରିବା ପରେ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସୂର୍ୟ୍ୟ କୁମାର ଯାଦବ ବିପକ୍ଷ ଟିମର ଅଧିନାୟକଙ୍କ ସହିତ ହାତ ନମିଳାଇବାକୁ ନେଇ କିଛି ପ୍ରଶ୍ନ ସୃଷ୍ଟି ହୋଇଛି ।
ଗତକାଲି ମ୍ୟାଚ୍ ଆରମ୍ଭରୁ ସୂର୍ଯ୍ୟକୁମାର ଯାଦବ ଟସ୍ ପକାଇଥିଲେ । ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇବାକୁ ସିଧାସଳଖ ମନା କରିଦେଇଥିଲେ । ଏହା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ଏହା ପରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପାକ୍ ଖେଳାଳିମାନେ ଶୁଭେଚ୍ଛା ଜଣାଇବାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ଟିମର କୌଣସି ଖେଳାଳି କିମ୍ବା ସଦସ୍ୟ ବିପକ୍ଷ ଟିମ୍ ସହିତ କରମର୍ଦ୍ଦନ କରିନଥିଲେ ।
ଏହା ପରେ ସୂର୍ଯ୍ୟକୁମାର ପ୍ରତିକ୍ରିୟା ରଖି କହିଥିଲେ, ତାଙ୍କ ଟିମ୍ କେବଳ ଖେଳିବାକୁ ଆସିଥିଲେ ଏବଂ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲେ । ଜୀବନରେ କିଛିଟା ଖେଳାଳିଙ୍କ ଭାବନାରୁ ଉର୍ଦ୍ଧ୍ୱରେ ଅଟେ ବୋଲି ସୂର୍ଯ୍ୟକୁମାର କହିଥିଲେ । ଏହା ସହିତ ଆହୁରି କହିଥିଲେ ଯେ ପହଲଗାମ ପୀଡ଼ିତଙ୍କ ପରିବାର ସହିତ ସମ୍ପୂର୍ଣ୍ଣ ଟିମ୍ ରହିଛି । ଅପରେସନ ସିନ୍ଦୂର ପାଇଁ ଏହି ବିଜୟକୁ ଭାରତୀୟ ସେନାଙ୍କୁ ସମର୍ପିତ କରିଥିଲେ ଅଧିନାୟକ ସୂର୍ଯ୍ୟକୁମାର ।
ଭାରତୀୟ ଖେଳାଳୀଙ୍କ ଏଭଳି ଆଚରଣ ପରେ ପାକିସ୍ତାନ ବିଳି ବିଳି ହେଉଛି । ଟିମ୍ ମ୍ୟାନେଜର ନବୀଦ ଅଖତର ଭାରତୀୟ ଟିମ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମ୍ୟାଚ୍ ରେଫ୍ରିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଏଭଳି ପରିସ୍ଥିତି ଅନ୍ୟ ଖେଳରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଇସିସିରେ ଏଭଳି କିଛି ନିୟମ ଅଛି କି ବୋଲି ପ୍ରଶ୍ନ ଉଠିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନିୟମରେ କରମର୍ଦ୍ଦନ ବାଧ୍ୟମୂଳକ ନେଇ କୌଣସି ନିୟମ ଉଲ୍ଲେଖ ନାହିଁ । ତେଣୁ ମ୍ୟାଚରୁ ନିଲମ୍ବିତ କରିବା କିମ୍ବା ଜୋରିମାନ ନେଇ କିଛି ବି ଲାଗୁ ହେବ ନାହିଁ । ଯଦି ଖେଳାଳି ଜାଣି ଶୁଣି ହାତ ମିଳାଉ ନାହାଁନ୍ତି ତେବେ ଏହାକୁ ଆଇସିସି ଆଚାରଣ ସଂହିତାର ଅନୁଚ୍ଛେଦ ୨.୧.୮ ଅନୁସାରେ ଖେଳର ଭାବନା ବିରୁଦ୍ଧରେ ବିବେଚନା କରାଯିବ । ଏହାକୁ ଲେବଲ-୧ ଏବଂ ଲେବଲ୍-୨ରେ ବର୍ଗୀକୃତ କରାଯିବ । ଲେବଲ୍-୧ ଅଧିନରେ ଚେତାବନୀ ଦିଆଯିବ କିମ୍ବା ୨୦୦୦ ଡଲାର ଜୋରିମାନା ଭରିବାକୁ ପଡ଼ିବ । ସେହିପରି ଲେବଲ୍-୨ ଅଧିନରେ ମ୍ୟାଚ ଫିସର ଶତ ପ୍ରତିଶତ ଜୋରିମାନା ଦେବାକୁ ପଡ଼ିପାରେ । ଯଦି ୨ ବର୍ଷ ଭିତରେ ଖେଳାଳୀଙ୍କ ବିରୁଦ୍ଧରେ ୪ଟି ଏପରି ଅଭିଯୋଗ ଆସେ ତେବେ କିଛିଟା ମ୍ୟାଚରୁ ନିଲମ୍ବନ କରାଯାଇପାରେ ।