ଦୁବାଇ: ଆଶା ଅନୁଯାୟୀ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏସିଆ କପର ଲିଗ୍ ପର୍ଯ୍ୟାୟରେ ମାତ୍ ଦେଇଛି । ସେନା ପରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ପହଲଗାମ ହମଲାର ପ୍ରତିଶୋଧ ନେଇଛି । ପ୍ରଥମେ ବୋଲର ଏବଂ ପରେ ବ୍ୟାଟରଙ୍କ ଦମରେ ପାକିସ୍ତାନକୁ ୭ ୱିକେଟରେ ହରାଇଛି ଭାରତ । ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୧୨୮ ରନର ବିଜୟ ଲକ୍ଷ୍ୟକୁ ଦଳ ୩ ୱିକେଟ ହରାଇ ୧୫.୫ ଓଭରରେ ହାସଲ କରି ନେଇଛି । ଅଭିଷେକ ଶର୍ମା ୩୧ ରନର ଇନିଂସ ଖେଳିଥିବା ବେଳେ ତିଳକ ବର୍ମା ମଧ୍ୟ ୩୧ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଅପରାଜିତ ୪୭ ରନର ଅଧିନାୟକତ୍ୱ ଇନିଂସ ଖେଳି ଦଳକୁ ଜିତାଇଛନ୍ତି । ବିଜୟ ସହ ଭାରତ ଏସିଆ କପର ସୁପର-୪ରେ ପ୍ରବେଶ କରିଛି ।
୧୨୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ୨୨ ରନ ସ୍କୋରରେ ଗିଲ୍(୧୦) ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୩ ବଲରୁ ୪ ଚୌକା ଓ ୨ ଛକା ସହ ୩୧ ରନ କରିଥିଲେ । ୪୧ ରନରେ ଦୁଇ ଓପନର ପାଭିଲିୟ ଫେରିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ୱିକେଟ ପାଇଁ ୫୬ ରନ ଯୋଡିଥିଲେ । ତିଳକ ବର୍ମା ୩୧ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।
ଏହା ପରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଇନିଂସ ଖେଳିଥିଲେ । ଶେଷ ପର୍ଯ୍ୟସ୍ତ ସେ ଅପରାଜିତ ରହି ଦଳକୁ ୭ ୱିକେଟରେ ଜିତାଇଛନ୍ତି । ସୂର୍ଯ୍ୟକୁମାର ଯାଦବ ୩୭ ବଲରୁ ୫ ଚୌକା ଓ ୧ ଛକା ସହ ୪୭ ରନର କରି ଅପରାଜିତ ଥିଲେ । ଭାରତ ୧୫. ୫ ଓଭରରେ ୧୨୮ ରନର ବିଜୟ ଲକ୍ଷ୍ୟ ଶିବମ ଦୁବେ ୧୦ ରନ କରି କ୍ରିଜରେ ଥିଲେ । ବୋଲିଂରେ ପାକିସ୍ତାନ ପକ୍ଷରୁ ସାମ ଆୟୁର ୩ଟି ୱିକେଟ ନେଇଥିବା ବେଳେ ଅନ୍ୟ ବୋଲର ନିରାଶ କରିଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନକୁ ପ୍ରଥମ ବଲରେ ହିଁ ଝଟକା ଲାଗିଥିଲା । ସାମ ଆୟୁବ ଖାତା ଖୋଲିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ । ପାକିସ୍ତାନ ପାଇଁ ଗତ ମ୍ୟାଚର ହିରୋ ମହମ୍ମଦ ହାରିସ(୩) ବୁମରାଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ଫକର ଜମାନ ଓ ସାହିବଜାଦା ଫରହାନ ତୃତୀୟ ୱିକେଟରେ ୩୯ ରନ ଯୋଡି ଦଳର ସ୍ଥିତି ସୁଧାରିଥିଲେ । ଫକର ଜମାନ ୧୭ ରନ କରି ଆଉଟ୍ ହୋଇଥିଲେ । ଗୋଟିଏ ପଟେ ଫରହାନ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ପାକିସ୍ତାନର ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ ।
ଅଧିନାୟକ ସଲମାନ ଆଘା ୩ ରନ, ହସନ ନୱାଜ ୫ ରନ ମହମ୍ମଦ ନୱାଜ ଖାତା ବି ଖୋଲି ପାରି ନ ଥିଲେ । ଫରହାନ ୪୪ ବଲରୁ ୪୦ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଏକଦା ୮୩ ରନରେ ୭ ୱିକେଟ ହରାଇଥିବା ପାକିସ୍ତାନ ପକ୍ଷରୁ ଶେଷ ଆଡକୁ ଶାହୀନ ଆଫ୍ରିଦି ୧୬ ବଲରୁ ୩୩ ରନର ଦ୍ରୁତ ଇନିଂସ ଖେଳିବାରୁ ପାକିସ୍ତାନ ୯ ୱିକେଟ ହରାଇ ୧୨୭ ରନର ସମ୍ମାନଜନକ ସ୍କୋର କରି ପାରିଥିଲା ।
ଭାରତ ପକ୍ଷରୁ କୁଲଦୀପ ଯାଦବ ୧୮ ରନ ଦେଇ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ମଧ୍ୟ ସମାନ ୧୮ ରନ ଦେଇ ୨ଟି ୱିକେଟ ନେଇଥିଲେ । ବୁମରାଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ୨୮ ରନ ବ୍ୟୟ କରିଥିଲେ ।
Also read: ଭାରତ ସାମ୍ନାରେ ତିଷ୍ଠି ପାରିଲାନି ୟୁଏଇ, ବିଜୟରୁ ସୂର୍ଯ୍ୟ ବାହିନୀର ଅଭିଯାନ ଆରମ୍ଭ