ନୂଆଦିଲ୍ଲୀ: ଚଳିତ ବର୍ଷର ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରି ଦର୍ଶକଙ୍କ ଚକିତ କରିଦେଇଥିବା ୧୪ ବର୍ଷିୟ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ସମସ୍ତଙ୍କର ପ୍ରିୟ ହୋଇଯାଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଭେଟି ତାଙ୍କ ବ୍ୟାଟିଂର ପ୍ରଶଂସା କରିଛନ୍ତି । ବୈଭବଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହିତ ତୁଳନା କରାଯାଉଛି । ଖୁବ ଶୀଘ୍ର ତାଙ୍କୁ ନୀଳ ଜର୍ସିରେ ଦେଖିବାକୁ ମିଳିବ ବୋଲି ତାଙ୍କର ପ୍ରସଂଶକମାନେ ଚାହିଁ ବସିଛନ୍ତି । କିନ୍ତୁ ଏହି ଆଶା ଏତେ ଶୀଘ୍ର ପୂରଣ ହେବାର ଆଉ ସମ୍ଭାବନା ଦେଖାଯାଉ ନାହିଁ । ବୈଭବଙ୍କୁ ଏଥିପାଇଁ ଅପେକ୍ଷା କରିବା ଉଚିତ ବୋଲି ଦିଗ୍ଗଜ କ୍ରିକେଟର ତଥା ବିସିସିଆଇର ପୂର୍ବତନ ଚୟନକର୍ତ୍ତା ଭେଙ୍କଟପତି ରାଜୁ କହିଛନ୍ତି ।
ପୂର୍ବତନ କ୍ରିକେଟର୍ ଭେଙ୍କଟପତି ରାଜୁ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି, ଆମକୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳରେ ଜର୍ସିରେ ଦେଖିବାକୁ ହେଲେ ଟିକେ ଅପେକ୍ଷା କରିବା ଆବଶ୍ୟକ । ସେହିପରି ସଚିନଙ୍କ ସହିତ ତୁଳନାକୁ ସେ ବେଇମାନୀ ବୋଲି କହିଛନ୍ତି । ଭେଙ୍କଟପତି କହିଛନ୍ତି, ସେ ବହୁତ ସମୟ ନେବେ । ପ୍ରଥମେ ଅଣ୍ଡର୍-୧୯ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଏହା ସହିତ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବର୍ତ୍ତମାନ ଦିନ ମ୍ୟାଚରେ ସେମିତି ଭଲ ଖେଳିବାକୁ ପଡ଼ିବ । ଆମେ ତାଙ୍କୁ ସମୟ ଦେଇ ପାରିବୁ । ତାଙ୍କ ଭିତରେ ପ୍ରତିଭା ରହିଛି, ଯାହାକି ଆମେ ପୂର୍ବରୁ ଦେଖି ସାରିଛୁ । ଭେଙ୍କଟପତି ୨୦୦୭ ଟି-୨୦ ବିଶ୍ୱ କପ୍ ଜିତିଥିବା ଭାରତୀୟ ଟିମର ଚୟନକର୍ତ୍ତା ସଦସ୍ୟ ଥିଲେ ।
ବୈବଭ ସୂର୍ଯ୍ୟବଂଶୀ ବର୍ତ୍ତମାନ ଅଣ୍ଡର୍-୧୯ ଦଳରେ ଖେଳୁଛନ୍ତି । ସେ ଇଂଲଣ୍ଡ ଗସ୍ତରେ ଅଛନ୍ତି । ମାତ୍ର ୧୪ ବର୍ଷ ବୟସରେ ସେ ନିଜର ପ୍ରଦର୍ଶନରେ ଲୋକଙ୍କୁ ଚକିତ କରି ଦେଇଛନ୍ତି । ଆଇପିଏଲ ଇତିହାସରେ ଦ୍ୱିତୀୟ ଏବଂ ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିବାରେ ସେ ରେକର୍ଡ କରିଛନ୍ତି । ସେହିପରି ଅଣ୍ଡର୍-୧୯ ଅଭ୍ୟାସ ମ୍ୟାଚରେ ସେ ୯୦ ବଲରେ ୧୯୦ ରନର ପାଳି ଖେଳିଛନ୍ତି । ଆଉ ତାଙ୍କର ଏହି ପ୍ରଦର୍ଶନ ଜାରି ରହିଛି ।