ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ନୂଆ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ (୨୦୨୩-୨୫)ରେ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟ୍ରେ ହରାଇ ଚାମ୍ପିଅନ ହୋଇଛି ଦକ୍ଷିଣ ଆଫ୍ରିକା। ଟାଇଟଲ୍ ଜିତିବା ସହ ଦଳ ନିଜ ମଥାରେ ଲାଗିଥିବା ଚୋକର୍ସର ଟ୍ୟାଗ ହଟାଇଛି। ଦୀର୍ଘ ୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତିଛି ଦକ୍ଷିଣ ଆଫ୍ରିକା। ଆଇସିସି ଟୁର୍ଣ୍ଣାମେଣ୍ଟକୁ ମିଳିଛି ନୂଆ ଚାମ୍ପିଅନ। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଡବ୍ଲ୍ୟୁଟିସି ଟାଇଟଲ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆର ଦ୍ଵିତୀୟ ଥର ଡବ୍ଲ୍ୟୁଟିସି ଟ୍ରଫି ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ଶେଷ ଥର ଦକ୍ଷିଣ ଆଫ୍ରିକା ୧୯୯୮ରେ ଶେଷ ଥର ଆଇସିସି ଟାଇଟଲ୍ ଭାବେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।
ଆଡନ ମାରକ୍ରମ ଐତିହାସିକ ଶତକୀୟ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସ ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୮୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍ ହରାଇ ଜିତି ନେଇଛି। ମାରକ୍ରମ ୧୩୬ ରନର ଐତିହାସିକ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିବା ବେଳେ ଅଧିନାୟକ ତେମ୍ବା ବାଭୁମା ୬୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ବୋଲର କାଗିସୋ ରାବଡା ଉଭୟ ଇନିଂସରେ ୯ ଓ୍ଵିକେଟ୍ ଅକ୍ତିକାର କରି ଦଳ ବିଜୟୀ କରାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି।
୨୮୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ରିୟାନ ରିକଲଟନ ୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଆଡନ ମାରକ୍ରମ ଓ ଓ୍ଵିୟାନ ମୁଲଡର କ୍ରିଜରେ ଜମି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୧ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ମୁଲଡର ୨୭ ରନ କରି ପାଭିଲିୟନ ଫେରିଥିଲେ। ଆଡନ ମାରକ୍ରମ କ୍ରିଜରେ ଜମି ରହିଥିବା ବେଳେ ଅଧିନାୟକ ତେମ୍ବା ବାଭୁମା ତାଙ୍କୁ ଉତ୍ତମ ସହଯୋଗ କରିଥିଲେ। ଦୁଇ ବ୍ୟାଟର କଙ୍ଗାରୁ ବୋଲରଙ୍କ ଉଚିତ୍ ମୁକାବିଲା କରି ନାକେଦମ କରିଥିଲେ। ଖେଳର ତୃତୀୟ ଦିନରେ ମାରକ୍ରମ ଶତକ ଓ ବାଭୁମା ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଚତୁର୍ଥ ଦିନ ଖେଳ ଆରମ୍ଭରେ ବାଭୁମା ଆଉଟ୍ ହୋଇଥିଲେ।
ବାଭୁମା ମାରକ୍ରମଙ୍କ ସହ ତୃତୀୟ ଓ୍ଵିକେଟ୍ରେ ୧୪୭ ରନର ଭାଗିଦାରୀ କରି ଦଳର ବିଜୟ ଆଶାକୁ ମଜବୁତ କରିଥିଲେ। ବାଭୁମା ୫ ଚୌକା ଜରିଆରେ ୬୬ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହା ପରେ ଟ୍ରିଷ୍ଟନ ଷ୍ଟବ୍ସ ୮ ରନ କରିଥିଲେ। ମାରକ୍ରମ ୧୩୬ ରନ ଖେଳି ଆଉଟ୍ ହୋଇଥିଲେ ହେଁ ଦଳର ବିଜୟ ନିଶ୍ଚିତ କରିଥିଲେ। ସେ ୨୦୭ ବଲରୁ ୧୪ ଚୌକା ଜରିଆରେ ୧୩୬ ରନର ଐତିହାସିକ ଇନିଂସ ଖେଳିଥିଲେ। ବେଡିନଘମ ୨୧ ରନ କରି ଅପରାଜିତ ଥିଲେ। ଶେଷରେ ଦଳ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ଡବ୍ଲ୍ୟୁଟିସି ଟ୍ରଫି ଜିତିଛି।
ଏହା ପୂର୍ବରୁ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୧୨ ରନ କରିଥିଲା। ଓ୍ଵେବଷ୍ଟର ୭୨ ରନର ଇନିଂସ ଖେଳିଥିବା ବେଳେ ଷ୍ଟିଭ ସ୍ମିଥ ୬୬ ରନ କରିଥିଲେ। ବୋଲିଂରେ କାଗିସୋ ରାବଡ଼ା ୫୧ ରନ ଦେଇ ୫ଟି ଓ୍ଵିକେଟ୍ ଓ ମାର୍କୋ ଜନସେନ ୪୯ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକା ପାଟ୍ କମିନ୍ସଙ୍କ ଘାତକ ବୋଲିଂ ମୁକାବିଲା କରି ନ ପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୩୮ ରନରେ ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ୨୮ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ୨୦୭ ରନ କରିଥିଲା। ମିଚେଲ୍ ଷ୍ଟାର୍କ ୫୮ ରନ ଓ ଆଲେକ୍ସ କେରି ୪୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡା ୫୯ ରନ ଦେଇ ୪ ଓ୍ଵିକେଟ୍ ହାସଲ କରିଥିଲେ। ଲୁଙ୍କି ଏନଗିଡିଙ୍କୁ ୩ ଓ୍ଵିକେଟ୍ ମିଳିଥିଲା।