ନୂଆଦିଲ୍ଲୀ: କ୍ରମାଗତ ତିନି ବର୍ଷ ହେବ ଆଇପିଏଲରେ କିଣା ହେଉନଥିବା ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳୀ ଫିନ୍ ଆଲେନ୍ ମେଜର୍ ଲିଗ୍ କ୍ରିକେଟ୍ (ଏମ୍ଏଲସି)ରେ ଉଦଘାଟନୀ ମ୍ୟାଚକୁ ରୋମାଞ୍ଚରେ ଭରି ଦେଇଛନ୍ତି । ଗୋଟିଏ ମ୍ୟାଚରେ ଧୂଆଁଧାର୍ ୧୯ଟି ଛକା ମାରି ବିଶ୍ୱ ରେକର୍ଡ କରିଛନ୍ତି । ମାତ୍ର ୩୪ଟି ବଲ ଖେଳି ସେ ଶତକ ହାସଲ କରିଚନ୍ତି ।
ସେନ୍ ଫ୍ରାନ୍ସିସ୍କୋ ୟୁନିକୋର୍ନ୍ସ ଏବଂ ୱାଶଂଟନ୍ ଫ୍ରିଡମ୍ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା । ଫିନ୍ ଆଲେନ୍ ସେନ୍ ଫ୍ରାନ୍ସିସ୍କୋ ୟୁନିକୋର୍ନ୍ସ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ସେ ମାତ୍ର ୫୧ଟି ବଲ୍ ଖେଳି ୧୫୧ ରନର ପାଳି ଖେଳିଛନ୍ତି । ଯେଉଁଥିରେ ୫ଟି ଚଉକା ଏବଂ ୧୯ଟି ଛକା ସାମିଲ ଅଛି । ତାଙ୍କ ଦଳ ବିପକ୍ଷ ଦଳ ସମ୍ମୁଖରେ ମୋଟ ୨୬୯ ରନର ଟାର୍ଗେଟ୍ ରଖିଥିଲା ।
ଏହା ସହିତ ଫିନ୍ ଆଲେନ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜ ଖେଳାଳୀ କ୍ରିସ୍ ଗେଲ୍ ଏବଂ ଏଷ୍ଟୋନିଆର ସାହିଲ ଚୌହ୍ୱାନଙ୍କ ନାମରେ ଥିଲା । ସେମାନେ ଗୋଟିଏ ମ୍ୟାଚରେ ୧୮ଟି ଲେଖାଏଁ ଛକା ମାରିଥିଲେ । ୨୦୧୭ରେ କ୍ରିସ୍ ଗେଲ ବାଂଲାଦେଶ ପ୍ରିମିୟର ଲିଗରେ ୧୮ଟି ଛକା ମାରିଥିଲେ । ସେହିପରି ୨୦୨୪ ସାହିଲ ଚୌହ୍ୱାନ ୨୦୨୪ରେ ୧୮ଟି ଛକା ମାରି ଗେଲଙ୍କ ସମକକ୍ଷ ହୋଇଥିଲେ ।
ସେହିପରି ଫିନଙ୍କର ଏମ୍ଏଲସିରେ ଏହା ଦ୍ରୁତତମ ଶତକ ନାମରେ ରେକର୍ଡ କରାଯାଇଛି । ତାଙ୍କ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ୱେଷ୍ଟିଣ୍ଡିଜର ନିକୋଲାସ୍ ପୂରନ ୪୦ ବଲର ଶତକ ହାସଲ କରିଥିଲେ । ସେହିପରି ଟି-୨୦ ଇତିହାସରେ ଦ୍ରୁତତମ ୧୫୦ ରନ୍ ହାସଲ କରିବାରେ ମଧ୍ୟ ରେକର୍ଡ କରିଛନ୍ତି ।