ନୂଆଦିଲ୍ଲୀ: ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା କେବଳ ଭାରତ ନୁହେଁ ପୂରା ଦୁନିଆକୁ ସ୍ତବ୍ଧ କରିଛି । ଏହି ଘଟଣାରେ ଅନେକ ଦେଶର ରାଷ୍ଟ୍ରନେତା ସହ କ୍ରୀଡାଠୁ ନେଇ ମନୋରଞ୍ଜନ ସବୁ ବର୍ଗର ଲୋକେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି କ୍ରମରେ ଶୁକ୍ରବାର ଲର୍ଡ୍ସରେ ଖେଳା ଯାଉଥିବା ଡବ୍ଲ୍ୟୁଟିସି ଫାଇନାଲ୍ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।
ଇିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଛି । ମ୍ୟାଚରେ ସମସ୍ତ ଖେଳାଳି ଓ ଅମ୍ପାୟର୍ସ ହାତରେ କଳା ପଟି ବାନ୍ଧିଛନ୍ତି । ତୃତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ନିରବ ପ୍ରାର୍ଥନା କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ମ୍ୟାଚରେ ଭାରତ ଖେଳୁନାହିଁ ତଥାପି ଭାରତରେ ଘଟିଥିବା ଏହି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ।
ଭାରତୀୟ ଦଳ ଟେଷ୍ଟ ସିରିଜ୍ ପାଇଁ ବର୍ତ୍ତମାନ ଇଂଲଣ୍ଡରେ ଅଛି । ଆଜି ଭାରତ ଓ ଭାରତୀୟ ଏ ଦଳ ମଧ୍ୟରେ ଇଣ୍ଟ୍ରା ସ୍କ୍ୱାଡ୍ ମ୍ୟାଚ୍ ଖେଳା ଯାଉଛି । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ହାତରେ କଳା ପଟି ବାନ୍ଧି ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ବିସିସିଆଇ ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଗତକାଲି ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡାଣ ଭରିବାର କିଛି ମିନିଟରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ବିମାନ ବନ୍ଦର ସୀମା ସ୍ଥିତ ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ଖସି ପଡିଥିଲା । ବିମାନରେ ଯାତ୍ରା କରୁଥିବା କ୍ରୁ ସଦସ୍ୟ ସହ ମୋଟ୍ ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ହଷ୍ଟେଲ ଉପରେ ବିମାନ ଖସିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି ।