ନୂଆଦିଲ୍ଲୀ: ଇଂଲଣ୍ଡରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଲଣ୍ଡନଠୁ ପ୍ରାୟ ୧୫ କିମି ଦୂର ଛୋଟ ସହର ବ୍ୟାକେନହ୍ୟାମରେ ପ୍ରସ୍ତୁତି କରୁଛି । ପ୍ରଥମ ଟେଷ୍ଟ ଜୁନ ୨୦ରେ ହେଣ୍ଡିଗ୍ଲେରେ ଖେଳାଯିବ । ଏହା ପୂର୍ବରୁ ଭାରତୀୟ ଖେଳାଳି ଅଭ୍ୟାସରେ ଜୁଟି ଯାଇଛନ୍ତି । ହେଲେ ଅଭ୍ୟାସ ସମୟରେ ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆହତ ହୋଇଛନ୍ତି । ଗୋଟିଏ ବଲ ତାଙ୍କ ବାମ ହାତରେ ବାଜିଛି । ଯନ୍ତ୍ରଣା କାରଣରୁ ସେ ଅଭ୍ୟାସ ଆଉ କରି ପାରି ନାହାନ୍ତି ।
ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି । ମାତ୍ର ପନ୍ତ, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ପରି ଅନୁଭବୀ ଖେଳାଳି ଦଳରେ ଅଛନ୍ତି । ଏହି ତିନି ଖେଳାଳି ଏହି ଗସ୍ତରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ । ପନ୍ତ ଦଳର ଉପ ଅଧିନାୟକ ଅଛନ୍ତି । ରବିବାର ଅଭ୍ୟାସ ସମୟରେ ତାଙ୍କର ବାମ ହାତରେ ବଲ ବାଜିଥିଲା । ତାଙ୍କୁ ବହୁତ ଯନ୍ତ୍ରଣା ହୋଇଥିବା ବେଳେ ମେଡିକାଲ ଟିମକୁ ତୁରନ୍ତ ଡକା ଯାଇଥିଲା । ଯାଞ୍ଚ ପରେ ହାତରେ ବ୍ୟାଣ୍ଡେଜ କରାଯାଇଥିଲା । ଏହା ପରେ ପନ୍ତ ଆଉ ଅଭ୍ୟାସ କରି ନାହାନ୍ତି ।
ଏହା ପୂର୍ବରୁ ପନ୍ତ ବହୁତ ସମୟ ବ୍ୟାଟିଂ ଅଭ୍ୟାସ କରିଥିଲେ । ସେ ଥ୍ରୋଡାଉନ ସ୍ପେଶାଲିଷ୍ଟ ଓ ସାଥୀ ଖେଳାଳିଙ୍କ ବୋଲିଂର ସାମ୍ନା କରିଥିଲେ । ଏହି ସମୟରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଆଲୋଚନା କରୁଥିବା ତାଙ୍କୁ ଦେଖିବାକୁ ମିଳିଥିଲା । ଆଶା କରାଯାଉଛି ପନ୍ତଙ୍କ ଆଘାତ ଗମ୍ଭୀର ହୋଇ ନ ଥିବ । ଭାରତୀୟ ଦଳ ଲଣ୍ଡନଠୁ ପ୍ରାୟ ୧୫ କିମି ଦୂର ଛୋଟ ସହର ବ୍ୟାକେନହ୍ୟାମରେ ପ୍ରସ୍ତୁତି କରୁଛି । ଏଠାରେ ୧୦ ଦିନ ପର୍ଯ୍ୟନ୍ତ ଭାରତୀୟ ଦଳ ଅଭ୍ୟାସ କରିବେ ।