ମୁମ୍ବାଇ: ଭାରତ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ବିଦେଶ ଭ୍ରମଣରେ ରହିଛି । ଏହା ପରେ ଅକ୍ଟୋବରରେ ୱେଷ୍ଟ ଇଣ୍ଡିଜ୍ ଏବଂ ପରେ ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ (ବିସିସିଆଇ) ଦୁଇଟି ମ୍ୟାଚର ସ୍ଥାନ ପରିବର୍ତ୍ତନ କରିଛି । ସୋମବାର ବିସିସିଆଇ ଅଧିକାରୀ ନୂତନ ସୂଚୀ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ।
ଭରାତୀୟ ପୁରୁଷ କ୍ରିକେଟ୍ ଦଳ ଇଂଲଣ୍ଡରୁ ଫେରିବା ପରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ସହିତ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ । ୨ ଅକ୍ଚୋବରରୁ ୱେଷ୍ଟ ଇଣ୍ଡିଜ୍ ସହିତ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଅକ୍ଟୋବର ୧୦ରୁ ୧୪ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚର ସ୍ଥାନ ପରିବର୍ତ୍ତନ କରିଛି ବିସିସିଆଇ । ସଦ୍ୟତମ ସୂଚୀ ଅନୁସାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ପୂର୍ବରୁ କୋଲକାତା ଇଡେନ୍ ଗାର୍ଡେନ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାର ଥିଲା । କିନ୍ତୁ ମ୍ୟାଚର ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ସେହିପରି ନଭେମ୍ବରରୁ ଦକ୍ଷିଣ ଆଫ୍ରିକା ସହିତ ମଧ୍ୟ ମୁକାବିଲ ଆରମ୍ଭ ହେବ । ନଭେମ୍ବର ୧୪ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ସହିତ ଦୁଇ ଟିକିଆ ସିରିଜ୍ ଖେଳାଯିବ । ଦିଲ୍ଲୀରେ ହେବାକୁ ଥିବା ପ୍ରଥମ ମୁକାବିଲା କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଟେଷ୍ଟ ସିରିଜ୍ ପରେ ୩ ଟିକିଆ ଦିନିକିଆ ସିରିଜ୍ ଏବଂ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।