ମାଲକାନଗିରି: ମାଓବାଦୀ ବିରୋଧୀ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । ପୁଣି ୨ ଜଣ ମାଓବାଦୀ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଛନ୍ତି । ଏ ନେଇ ଛତିଶଗଡ଼ ସୁକୁମା ପୋଲିସ ସୂଚନା ଦେଇଛି ।
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କିରଣ ଚଭନଙ୍କ ସୂଚନା ମୁତାବକ, ବୁଧବାର କୁକାନା ଥାନା ଅନ୍ତର୍ଗତ ପୁସଗୁନା ଗ୍ରାମ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଡିଆରଜି ଏବଂ କୁକାନାର ପୋଲିସର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଗତକାଲି ସକାଳୁ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଅପରାହ୍ନ ୨ଟାରୁ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଅନେକ ଗୁଳି ବିନିମୟ ହୋଇଥିଲା। ଗୁଳି ଗର୍ଜନ କମିବା ପରେ ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀ ସମେତ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହା ସହିତ ଏକ ଇନସାସ୍ ରାଇଫଲ୍, ଏକ ୧୨-ବୋର୍ ରାଇଫଲ୍, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ମୃତ ନକ୍ସଲଙ୍କ ପରିଚୟ ମଧ୍ୟ ହସ୍ତଗତ ହୋଇଛି । ଜଣଙ୍କ ନାମ ବମନ ବୋଲି ଜଣାପଡ଼ିଛି । ସେ ନିକଟସ୍ଥ ପେଦାରସ ଗ୍ରାମର ସ୍ଥାନୀୟ ସଂଗଠନ ସ୍କ୍ୱାଡ୍ କମାଣ୍ଡର ଥିଲା । ତା ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବୋଲି ଏସପି କହିଛନ୍ତି । ତେବେ ମହିଳା ନକ୍ସଲଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ଜିଲ୍ଲାରେ ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଡିଭାଇସ୍ ବିସ୍ଫୋରଣରେ କୋଣ୍ଟା ଡିଭିଜନର ଅତିରିକ୍ତ ପୋଲିସ ଅଧୀକ୍ଷକ ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଥିଲେ ।