ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୮:୩୦ରେ ଅହମଦାବାଦ ଗସ୍ତ କରିବେ। ଏହି ସମୟରେ ସେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ ଏବଂ ସେଠାକାର ପରିସ୍ଥିତିର ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାରେ ଆହତ ଲୋକଙ୍କୁ ମଧ୍ୟ ଭେଟିପାରନ୍ତି।
ଅହମଦାବାଦ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଦୁଃଖପ୍ରକାଶ କରି କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏନେଇ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ଓ ହୃଦୟ ବିଦାରକ। ସହଯୋଗ ପାଇଁ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।
ସୂଚନାଯୋଗ୍ୟ ଗୁଜୁରାଟର ଅହମ୍ମଦାବାଦରେ ଗୁରୁବାର ଅପରାହ୍ଣରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଅହମଦାବାଦ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏଯାଏଁ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି। ଗୁରୁତର ବ୍ୟକ୍ତିଙ୍କର ଚିକିତ୍ସା ଜାରି ରହିଛି।
ଅହମଦାବାଦ ବିମାନ ଦୁର୍ଘଟଣାର ଅନେକ ଭୟଙ୍କର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ବିମାନଟି ଅଗ୍ନି ପିଣ୍ଡୁଳାରେ ପରିଣତ ହେଉଥିବା ଏବଂ ଦୂର ଦୂରାନ୍ତରକୁ ଧୂଆଁ ବ୍ୟାପିଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ଅନ୍ତର୍ଜାତୀୟ ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ।
ଅଗ୍ନିଶମ ଅଧିକାରୀ ଜୟେଶ ଖାଡିଆ କହିଛନ୍ତି ଯେ ବିମାନଟି ଖସିପଡ଼ିବା ପରେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଲିଭାଇବା ପାଇଁ ଦମକଳ ଗାଡିକୁ ଘଟଣାସ୍ଥଳକୁ ପଠାଯାଇଛି। ଅହମ୍ମଦାବାଦ ପୋଲିସ କମିଶନର ଜିଏସ୍ ମଲିକ କହିଛନ୍ତି, "ବିମାନବନ୍ଦର ନିକଟବର୍ତ୍ତୀ ମେଘାନୀ ନଗରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।" କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ସମୟରେ, ଅମିତ ଶାହ ଆହତଙ୍କ ଅବସ୍ଥା ପଚାରିବା ପାଇଁ ହସ୍ପିଟାଲ ଯାଇଥିଲେ। ଅମିତ ଶାହ କହିଛନ୍ତି ଯେ ଏହି ଦୁର୍ଘଟଣାରେ ସମଗ୍ର ଦେଶ ଦୁଃଖିତ। ଏହା ଏକ ଦୁର୍ଘଟଣା ଥିଲା ଏବଂ ଦୁର୍ଘଟଣାକୁ କେହି ରୋକିପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ