ନୂଆଦିଲ୍ଲୀ: ଗତ ୩୫ ଦିନରେ କ୍ରିକେଟ୍ ଜଗତରେ ଏମିତି ଘଟଣା ଘଟିଛି ଯହା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିବା ସହ ମର୍ମାହତ ମଧ୍ୟ କରିଛି । ଏତେ କମ ସମୟରେ ବିଶ୍ୱ କ୍ରିକେଟରେ ପାଞ୍ଚ ଖ୍ୟାତାନାମା ଖେଳାଳି କ୍ରିକେଟର ଭିନ୍ନ ଭିନ୍ନ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଥିରେ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜର ଖେଳାଳି ସାମିଲ । କେଉଁ ଖେଳାଳି ଟେଷ୍ଟ କ୍ରିକେଟ୍ ଛାଡିଲେ ତ ଆଉ କିଏ ଦିନିକିଆ ଏବଂ ଆଉ କିଏ ପୂରା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ।
ଏହି ତାଲିକାରେ ଏବେ ଯୋଡି ହୋଇ ଯାଇଛି ୱେଷ୍ଟଇଣ୍ଡିଜର ତାରକା ବ୍ୟାଟର ନିକୋଲାସ ପୂରନଙ୍କ ନାଁ । ୨୯ ବର୍ଷ ବୟସରେ ନିକୋଲାସ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପୂରନ ନିଜର ଏହି ନିଷ୍ପତ୍ତିର ସୂଚନା ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ କରି ଦେଇଛନ୍ତି । ୱେଷ୍ଟଇଣ୍ଡିଜର ପୂର୍ବତନ ଟି-୨୦ ଅଧିନାୟକ ନିକୋଲାସ ପୂରନ ନିକଟରେ ଆଇପିଏଲରେ ଲଖନଉ ସୁପର ଜାଏଣ୍ଟସ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ । ପୂରନ ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ୬୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଓ ୧୦୬ଟି ଦିନିକିଆ ଖେଳିଛନ୍ତି । ଏଥିରେ ୪ ହଜାରରୁ ଅଧିକ ରନ କରିଛନ୍ତି ।
ପୁଣି ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟର ଏନରିକ କ୍ଲାସେନ ମଧ୍ୟ ୨୦୨୫ ଜୁନ ଆରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ୩୩ ବର୍ଷୀୟ କ୍ଲାସେନ ନିଜ କ୍ୟାରିୟରରେ ୬୦ଟି ଦିନିକିଆ ଓ ୫୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ନିଜର ପରିବାର ଓ ଫ୍ରାଞ୍ଚାଇଜ କ୍ରିକେଟକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଇଛନ୍ତି ।
ଏହି କ୍ରମରେ ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ସାମିଲ । ମ୍ୟାକ୍ସୱେଲ ୩୬ ବର୍ଷ ବୟସରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ପିଠିରେ ବାରମ୍ବାର ଆଘାତ ଲାଗିବା ଏବଂ ଲଗାତାର କାର୍ଯ୍ୟଚାପ କାରଣରୁ ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ବଡ ପଦକ୍ଷେପ ନେଇଛନ୍ତି । ମ୍ୟାକ୍ସୱେଲ ନିଜ କ୍ୟାରିୟରରେ ୧୪୯ ଦିନିକିଆ ଖେଳି ୪ ଶତକ ଓ ୨୫ ଅର୍ଦ୍ଧଶତକ ସହ ୩୯୯୦ ରନ କରିଛନ୍ତି ।
ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଡବଲ ଝଟକା ଲାଗିଥିଲା । ଅଧିନାୟକ ରୋହିତ ଶର୍ମା ଓ ତାକରା ବ୍ୟାଟର ବିରାଟ କୋହଲି ୫ ଦିନ ବ୍ୟବଧାନରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ରୋହିତଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ସେ ୬୭ ଟେଷ୍ଟ ଖେଳି ୪୩୦୧ ରନ କରିଛନ୍ତି । ଏଥିରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ସାମିଲ । ସେହିପରି ବିରାଟ କୋହଲି ୧୨୩ ଟେଷ୍ଟ ଖେଳି ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସହ ୯୨୩୦ ରନ କରିଛନ୍ତି । ଏହି ଦୁଇ ଖେଳାଳି ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଉଭୟଙ୍କୁ ଏବେ କେବଳ ଦିନିକିଆରେ ଦେଖିବାକୁ ମିଳିବ ।
ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ନିଆଯାଇଥିବା ଏହି ବଡ଼ ନିଷ୍ପତ୍ତିଗୁଡ଼ିକ ସ୍ପଷ୍ଟ କରିଛି ଯେ କ୍ରିକେଟର ଫର୍ମାଟ୍ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଏପରି ପରିସ୍ଥିତିରେ, କେଉଁ ଯୁବ ଖେଳାଳି ଏହି ଅଭିଜ୍ଞ ଖେଳାଳିଙ୍କ ସ୍ଥାନ ପୂରଣ କରିପାରିବେ ଏବଂ ଆଗାମୀ ଦଶନ୍ଧିର ତାରକା ଭାବରେ ଉଭା ହେବେ ତାହା ଦେଖିବା ବାକି ରହିଲା ।