ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପ୍ରଥମ ଥର ବେଙ୍ଗାଲୁରୁ ଦଳାଚକଟା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ବେଙ୍ଗାଲୁରୁ ଦଳର ବିଜୟ ଉତ୍ସବ ସମୟରେ ଚିନ୍ନାସ୍ଵାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟାକୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି। ଉଲ୍ଲେଖନୀୟ ୧୮ ବର୍ଷ ପରେ ଆରସିବି ପ୍ରଥମ ଟ୍ରଫି ଜିତିବାରେ ସଫଳ ହୋଇଛି।
ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଉପରେ ରାହୁଲ ଦ୍ରାବିଡ କହିଛନ୍ତି, "ଏହା ବହୁତ ନିରାଶାଜନକ ଏବଂ ଦୁଃଖଦ। ମୃତକଙ୍କ ପରିଜନ ପ୍ରତି ମୋର ସମବେଦନା ରହିଛି। ସେ କହିଛନ୍ତି, "ଏହି ସହର କ୍ରୀଡା ପ୍ରେମୀଙ୍କ ସହର। ମୁଁ ଏହି ସହରରୁ ଆସିଛି। ଏଠାରେ ଲୋକମାନେ କେବଳ କ୍ରିକେଟକୁ ପସନ୍ଦ କରନ୍ତି ନାହିଁ ବରଂ ଅନ୍ୟ ଖେଳକୁ ମଧ୍ୟ ପସନ୍ଦ କରନ୍ତି। ଏଠାରେ ଲୋକମାନେ ଫୁଟବଲ୍ ଦଳ ଏବଂ କବାଡି ଦଳକୁ ମଧ୍ୟ ଅନୁସରଣ କରନ୍ତି ଏବଂ ପସନ୍ଦ କରନ୍ତି।
ବିଜୟ ଉତ୍ସବ ସମୟରେ ଦଳାଚକଟା ଉପରେ ବେଙ୍ଗାଲୁରୁର ନିବାସୀ ଦ୍ରାବିଡ ଏହା ମଧ୍ୟ କହିଛନ୍ତି, "ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବହୁତ ସଂଖ୍ୟାରେ ପ୍ରଶଂସକ ଅଛନ୍ତି। ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଘଟଣାରେ ମୃତକଙ୍କ ପରିବାର ଏବଂ ଆହତଙ୍କ ପ୍ରତି ମୋର ସମବେଦନା।"
ସୂଚନାଯୋଗ୍ୟ, ଜୁନ୍ ୪ ତାରିଖରେ ଆରସିବି ୨୦୨୫ ଟାଇଟଲ୍ ଜିତିବାର ପରଦିନ, ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ବହୁ ସଂଖ୍ୟକ ପ୍ରଶଂସକ ଦଳ ଏବଂ ଟ୍ରଫିକୁ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ। ମାତ୍ର ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ରାଜ୍ୟ ସରକାର ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରିଥିଲେ। ଆରସିବିର ମାର୍କେଟିଂ ଏବଂ ରାଜସ୍ୱ ମୁଖ୍ୟ ନିଖିଲ ସୋସଲେଙ୍କୁ ମଧ୍ୟ ଗିରଫ କରାଯାଇଛି।
ଦଳାଚକଟାରେ ମୃତ୍ୟୁ ପାଇଁ କର୍ଣ୍ଣାଟକ ସରକାର ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଫ୍ରାଞ୍ଚାଇଜ୍ ଆରସିବି ମଧ୍ୟ ମୃତକଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି।