ନୂଆଦିଲ୍ଲୀ: ଦେଶରେ ଖୁବ୍ ଶୀଘ୍ର ଏକ ନୂତନ ଟୋଲ୍ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ନୂତନ ଟୋଲ୍ ନୀତିରେ ଫାଷ୍ଟାଗ୍ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଟୋଲ୍ ଆଦାୟକୁ ସାଟେଲାଇଟ୍ ସହିତ ସଂଯୋଗ କରାଯିବାର ପ୍ରସ୍ତାବ ଦିଆଯାଇଛି। ଯଦି ଫାଷ୍ଟାଗ୍ କାମ କରୁନାହିଁ ତେବେ ପ୍ଲାଜାରେ ସ୍ଥାପିତ ସିସିଟିଭି କ୍ୟାମେରା ଆପଣଙ୍କ ନମ୍ବର ପ୍ଲେଟ୍ ପଢ଼ିବ ଏବଂ ଟୋଲ୍ ଟଙ୍କା ସିଧାସଳଖ ଆକାଉଣ୍ଟରୁ କଟିଯିବ। କେବଳ ଏତିକି ନୁହେଁ, ରାଜପଥରେ ଯାତ୍ରା କରୁଥିବା ଗାଡ଼ିର ଅଂଶ ପାଇଁ ଆପଣଙ୍କଠାରୁ ଟୋଲ୍ ଆଦାୟ କରାଯିବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିବା ନୂତନ ଟୋଲ୍ ନୀତିରେ ଆହୁରି ଅନେକ ବୈଶିଷ୍ଟ୍ୟ ଅଛି।
ନୂଆ ନୀତି ଲାଗୁ ହେଲେ ଯାତ୍ରୀମାନେ କମ୍ ମୂଲ୍ୟରେ ଜାତୀୟ ରାଜପଥରେ ଯାତ୍ରା କରିପାରିବେ ଏବଂ ଟୋଲ୍ ପ୍ଲାଜାରେ ଜାମ୍ରୁ ମଧ୍ୟ ମୁକ୍ତି ପାଇପାରିବେ। ଏଥିରେ ଅନେକ ନୂତନ ସୁବିଧା ଯୋଡାଯାଉଛି, ଯେଉଁଥିରେ ବାର୍ଷିକ ଏବଂ ଜୀବନବ୍ୟାପୀ ପାସ୍, ଦୂରତା ଅନୁସାରେ ଟୋଲ୍ ଏବଂ ବିନା ବାଧାରେ ଟୋଲ୍ ଆଦାୟ ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ନୀତି ବିଶେଷ ଭାବରେ ସେହି ଲୋକମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ଯେଉଁମାନେ ପ୍ରତିଦିନ କିମ୍ବା ନିରନ୍ତର ଜାତୀୟ ରାଜପଥ ବ୍ୟବହାର କରନ୍ତି।
ବର୍ତ୍ତମାନ ଏକ ଟୋଲ୍ ପ୍ଲାଜା ପାଇଁ ମାସିକ ପାସର ମୂଲ୍ୟ ପ୍ରାୟ ୩୪୦ ଟଙ୍କା, ଯାହା ବର୍ଷକୁ ୪,୦୮୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। କିନ୍ତୁ ନୂତନ ନୀତି ଲାଗୁ ହେଲେ ବର୍ଷସାରା କେବଳ ୩,୦୦୦ ଟଙ୍କାରେ ଯେକୌଣସି ଜାତୀୟ ରାଜପଥରେ ଅସୀମିତ ଯାତ୍ରା ସମ୍ଭବ ହେବ। ଏହି ପରିବର୍ତ୍ତନ ଦ୍ୱାରା ଘରୋଇ ଯାନବାହାନ ମାଲିକମାନେ ସର୍ବାଧିକ ଲାଭବାନ ହେବେ। କାରଣ ସେମାନେ ଟୋଲ୍ ଟ୍ରାଫିକର ୬୦% ଅବଦାନ ରଖନ୍ତି। ମୋଟ ଟୋଲ୍ ରାଜସ୍ୱରେ ସେମାନଙ୍କର ଅବଦାନ ମାତ୍ର ୨୧%।
ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୨୦୨୫ ମେ’ ମାସଠାରୁ ସାରା ଦେଶରେ ସାଟେଲାଇଟ୍-ଆଧାରିତ ଟୋଲିଂ ଲାଗୁ ହେବ ନାହିଁ। ଏହା ବଦଳରେ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍ ପ୍ରଯୁକ୍ତିବିଦ୍ୟା ଏବଂ ଫାସଷ୍ଟାଗକୁ ମିଶ୍ରଣ କରି କିଛି ନିର୍ଦ୍ଦିଷ୍ଟ ରାଜପଥରେ ଏକ 'ବାଧାମୁକ୍ତ ଟୋଲ୍ ସିଷ୍ଟମ୍' ଲାଗୁ କରାଯିବ। ଏଥିରେ, ଟୋଲ୍ ପ୍ଲାଜାରେ ଅଟକିବାର ଆବଶ୍ୟକତା ରହିବ ନାହିଁ, କ୍ୟାମେରାଗୁଡ଼ିକ ଗାଡ଼ିର ନମ୍ବର ପ୍ଲେଟ୍ ସ୍କାନ କରିବ ଏବଂ ଟୋଲ୍ ସ୍ୱୟଂଚାଳିତ ଭାବରେ କଟିଯିବ। ଏହି ସିଷ୍ଟମ୍ ପୂର୍ବରୁ ବେଙ୍ଗାଲୁରୁ-ମହୀଶୂର ଏବଂ ପାନିପତ-ହିସାର ଭଳି ରୁଟ୍ ରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ସଫଳତାର ସହ ଚାଲିସାରିଛି।
ସରକାର ଆଉ ଏକ ବଡ଼ ପରିବର୍ତ୍ତନ କରିଛନ୍ତି, ପ୍ରତିଦିନ ୨୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ବ୍ୟକ୍ତିଗତ ଯାନବାହନ ପାଇଁ ଟୋଲ୍ ଫ୍ରି ରଖାଯାଇଛି। ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୨୦ କିଲୋମିଟର କିମ୍ବା ତା'ଠାରୁ କମ୍ ଦୂରତା ଯାତ୍ରା କରନ୍ତି, ତେବେ ତାଙ୍କୁ ଟୋଲ୍ ଦେବାକୁ ପଡ଼ିବ ନାହିଁ। ଯଦି ତାଙ୍କ ଗାଡ଼ିରେ ଫାସଷ୍ଟାଗ କିମ୍ବା ଜିଏନ୍ଏସଏସ ଟ୍ରାକିଂ ସିଷ୍ଟମ୍ ଥାଏ। ୨୦ କିଲୋମିଟରରୁ ଅଧିକ ଦୂରତା ପାଇଁ, ପ୍ରତି ୧୦୦ କିଲୋମିଟରରେ ୫୦ ଟଙ୍କା ହାରରେ ଟୋଲ୍ ଆଦାୟ କରାଯିବ। ଏହି ବ୍ୟବସ୍ଥା ସ୍ଥାନୀୟ ଯାତ୍ରୀ ଏବଂ ଦୈନିକ ଯାତ୍ରୀମାନଙ୍କୁ ସିଧାସଳଖ ଲାଭ ଦେବ।
ଅଧିକ ପଢ଼ନ୍ତୁ: ଦୁର୍ଘଟଣାରେ ଜଣେ ସବଇନ୍ସପେକ୍ଟରଙ୍କ ସମେତ ୫ ଜଣ ଆହତ