ନୂଆଦିଲ୍ଲୀ: ଭାରତ ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଥିଲା । ହେଲେ ଭାରତର ଆଶାକୁ ବଡ ଝଟକା ଲାଗିଛି । ରିପୋର୍ଟ ଅନୁଯାୟୀ, ଆଇସିସି ଆଗାମୀ ତିନି ସଂସ୍କରଣ ପାଇଁ ଇଂଲଣ୍ଡକୁ ଆୟୋଜନ ଅଧିକାର ପ୍ରଦାନ କରିବାକୁ ମନସ୍ଥ କରିଛି । ଏହାର ଆନୁଷ୍ଠାନିକ ଘୋଷଣା ଆଇସିସି ଜୁଲାଇରେ ହେବାକୁ ବାର୍ଷିକ ବୈଠକରେ କରିପାରେ । ଉଲ୍ଲେଖନୀୟ ଏ ପର୍ଯ୍ୟନ୍ତ ଡବ୍ଲ୍ୟୁଟିସିର ତିନି ଫାଇନାଲର ଆୟୋଜନ ଇଂଲଣ୍ଡ କରିଛି । ତୃତୀୟ ଫାଇନାଲ୍ ବର୍ତ୍ତମାନ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଖେଳା ଯାଉଛି ।
ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଏହି ଚୁକ୍ତିନାମାକୁ ଅନ୍ତିମ ରୂପ ଦେବାକୁ ପ୍ରସ୍ତୁତି କରୁଛି । ୨୦୩୧ ସୁଦ୍ଧା ହେବାକୁ ଥିବା ତିନି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ୍ ଆୟୋଜନ ପାଇଁ ଆଇସିସି ଇସିବିକୁ ଅନୁମତି ପ୍ରଦାନ କରିବ । ଦ ଟେଲିଗ୍ରାଫ ଅନୁସାରେ ଆଇସିସି ଏହା ଉପରେ ଅନ୍ତିମ ନିଷ୍ପତ୍ତି ଜୁଲାଇରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ନେଇପାରେ । ତେବେ ଆଇସିସି ଇସିବିକୁ ମୌଖିକ ଭାବେ ଜଣାଇ ଦେଇଛି ।
ଉଲ୍ଲେଖନୀୟ ଭାରତ ଡବ୍ଲ୍ୟୁଟିସି ଫାଇନାଲର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଏହି ପ୍ରସଙ୍ଗରେ ଆଇସିସି ଅନେକ ବୈଠକରେ ଏ ନେଇ ଆଲୋଚନା ମଧ୍ୟ କରିଥିଲା । ହେଲେ ନ୍ୟୁଟ୍ରାଲ ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡରେ ଅଧିକ ଦର୍ଶକ ଷ୍ଟାଡିୟମକୁ ଆସୁଥିବାରୁ ଏହା ଆଇସିସିକୁ ବେଶ ଆକର୍ଷିତ କରିଛି । କାରଣ ଗତ ତିନୋଟି ସଂସ୍କରଣରେ ଇଂଲଣ୍ଡ ଫାଇନାଲକୁ ଯାଇ ନ ଥିଲେ ବି ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଷ୍ଟାଡିୟମ ପୂରା ଭରପୂର ରହୁଛି । ଏହି ବଡ କାରଣ ପାଇଁ ଇଂଲଣ୍ଡକୁ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍ ଆୟୋଜନ ପାଇଁ ଅନୁମତି ଦେବାକୁ ଆଇସିସି ନିଷ୍ପତ୍ତି ନେଇଛି ।