ରାଞ୍ଚି ଟେଷ୍ଟ: ରୋହିତ ଓ ରାହାଣେଙ୍କ ଦମରେ ଭାରତର ସ୍ଥିତି ମଜବୁତ
Khabar Odisha:sports--cricket--odisha--india-vs-south-africa-3rd-test-day-1-match-report
ରାଞ୍ଚି, ଅକ୍ଟୋବର୧୯(ଖବର ଓଡ଼ିଶା):

  ଓପନର ରୋହିତ ଶର୍ମାଙ୍କ ଶୃଙ୍ଖଳାର ତୃତୀୟ ଶତକ ଓ ଆଜିଙ୍କ୍ୟ ରାହାଣେ(୮୩*) ବଳରେ ଭାରତ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ନିଜର ସ୍ଥିତି ମଜବୁତ କରିଛି। ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୨୨୪ ରନ କରିଛି। ଭାରତ ଚା ପାନ ବିରତି ଯାଏ ୩ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ଏହା ପରେ ଖରାପ ଆଲୋକ କାରଣରୁ କେବଳ ୬ ଓଭର ଖେଳ ହିଁ ହୋଇ ପାରିଥିଲା। ରୋହିତ ଶର୍ମା(୧୧୭*) ଓ ରାହାନେ(୮୩*)ରେ କ୍ରିଜରେ ଅଛନ୍ତି। 

ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଭାରତକୁ ପ୍ରାରମ୍ଭରେ ୩ଟି ଝଟକା ଲାଗିଥିଲା। ୧୨ ରନ ସ୍କୋରରେ ରାବଡ଼ା ମୟଙ୍କ ଅଗ୍ରଓ୍ଵାଲ(୧୦)ଙ୍କୁ ଏଲଗରଙ୍କ ହାତରେ କ୍ୟାଚ୍ କରାଇ ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଏହା ପରେ ଚେତେଶ୍ଵର ପୂଜାରାଙ୍କୁ ଖାତା ଖୋଲିବା ପୂର୍ବରୁ ରାବଡ଼ା ଏଲବିଡବ୍ଲ୍ୟୁ କରି ପାଭିଲିୟନର ରାସ୍ତା ଦେଖାଇଥିଲେ। ଅଧିନାୟକ ବିରାଟ କୋହଲି ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ୧୨ ରନ କରି ଆଉଟ୍ ହୋଇଥଲେ

ଭାରତ ୧୫.୩ ଓଭରରେ ୩୯ ରନରେ ୩ ଓ୍ଵିକେଟ୍ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟ ୟ ଭୋଗିଥିଲା। ଏହା ପରେ ଗୋଟିଏ ପଟେ କ୍ରିଜ୍ ସମ୍ଭାଳିଥିବା ରୋହିତ ଶର୍ମା ଆଜିଙ୍କ୍ୟ ରାହାଣେଙ୍କ ସହିତ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରି ଦଳକୁ ବ୍ୟାଟିଂ ବିପର୍ୟ୍ୟ ୟରୁ ଉଦ୍ଧାର କରିଥିଲେ। କ୍ରିଜରେ ଜମିବା ପରେ ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଦିନର ଖେଳ ଶେଷ ସୁଦ୍ଧା ରୋହିତ ଓ ଆଜିଙ୍କ୍ୟ ରାହାଣେ ଚତୁର୍ଥ ଓ୍ଵିକେଟ୍ ପାଇଁ  ଅବିଭାଜିତ ୧୮୫ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଛନ୍ତି। 

ଏହି ସମୟରେ ରୋହିତ ଟେଷ୍ଟ କ୍ୟାରିୟରରେ ଷଷ୍ଠ ଏବଂ ଚଳିତ ଶୃଙ୍ଖଳାରେ ତୃତୀୟ ଶତକ ହାସଲ କରିଥିଲେ। ରୋହିତ ପ୍ରଥମେ ୫୫ ବଲରୁ ୨୩ ରନ କରିଥିଲେ। ମାତ୍ର ପରବର୍ତ୍ତୀ ୭୫ ରନ ସେ ୭୮ ବଲରୁ କରିଥିଲେ। ସେ ଛକା ମାରି ନିଜର ଶତକ ପୂରଣ କରିଥିଲେ। ଅନ୍ୟପଟେ ରୋହିତଙ୍କୁ ଉପଯୁକ୍ତ ସହାୟତା ଦେଇଥିବା ଆଜିଙ୍କ୍ୟ ରାହାଣେ ୭୦ ବଲରୁ ୨୧ତମ ଅର୍ଦ୍ଧଶତକ ହାସଲ  କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ରୋହିତ ୧୬୪ ବଲରୁ ୧୪ ଚୌକା ଓ ୪ ଛକା ବଳରେ ୧୧୭ ରନ ଏବଂ ରାହାଣେ ୧୩୫ ବଲରୁ ୧୧ ଚୌକା ଓ ୧ ଛକା ଜରିଆରେ ୮୩ ରନ କରି ଅପରାଜିତ ଅଛନ୍ତି। 

ଏହି ଶତକ ସହ ରୋହିତ ଶର୍ମା ଅନେକ ରେକର୍ଡ କରିଛନ୍ତି। ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ତିନୋଟି ଶତକ ହାସଲ କରିବାରେ ରୋହିତ ଏକମାତ୍ର ଭାରତୀୟ ଓପନର ହୋଇଛନ୍ତି। ଏହା ପୂର୍ବରୁ ଓପନର ଭାବେ ସୁନିଲ ଗାଭାସ୍କର ୧୯୭୦ରେ ଏହି ଉପଲବ୍ଧି  ହାସଲ କରିଥିଲେ। ଏହା  ସହିତ ରୋହିତ ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି। ସେ ଅଦ୍ୟାବଧି ଶୃଙ୍ଖଳାରେ ୧୭ଟି ଛକା ମାରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ ସିମରନ ହେଟମାୟରଙ୍କ ନାମରେ ଥିଲା। ହେଟମାୟର ୨୦୧୮ରେ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧୫ଟି ଛକା ମାରିଥିଲେ। 

ପ୍ରଥମ ଦିନର ପ୍ରଥମ ସେସନକୁ ବାଦ୍ ଦେଲେ ପୂରା ଦିନ ଭାରତୀୟ ବ୍ୟାଟସମ୍ୟାନ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଭାରି ପଡ଼ିଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ସଫଳ ବୋଲର ଭାବେ କାଗିସୋ ରାବଡ଼ା ୫୪ ରନ ଦେଇ ୨ ଓ ଅନରିଚ୍ ନର୍ତ୍ତେଜ ୧ ଓ୍ଵିକେଟ୍ ନେଇଛନ୍ତି।

Subscribe

National International State Sports Entertainment