ଦୁଦାଇ: ସୁପର-୪ରେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୁଣି ନୌଟଙ୍କି ଆରମ୍ଭ କଲା ପାକିସ୍ତାନ। ରବିବାର ଖେଳା ଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଶନିବାର ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏଥିରେ ଯୋଗ ଦେଇ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହେଲେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା ସାମ୍ବାଦିକ ସମ୍ମିଳନୀକୁ ରଦ୍ଦ କରିଛନ୍ତି।
ପୁଣି ଥରେ ମହାମୁକାବିଲା ପୂର୍ବରୁ ପୁଣି ଥରେ ଚାଲବାଜି ଆରମ୍ଭ କରିଛି ପାକିସ୍ତାନ। ଦଳ ପକ୍ଷରୁ ପ୍ରି ମ୍ୟାଚ ପ୍ରେସ କନଫରେନ୍ସ ରଦ୍ଦ କରାଯାଇଛି। ଏହା ସହ ପାକିସ୍ତାନୀ ଟିମ୍ ନିଜର କ୍ୟାମ୍ପରେ ମୋଡିଭେଶନାଲ ସ୍ପିକର ଡ. ରାହିଲଙ୍କୁ ସାମିଲ୍ କରିଛି। ପାକିସ୍ତାନ ଟିମ୍ ଅଚାନକ ଏହି ପଦକ୍ଷେପ ଗ୍ରହଣ କରିଛି, ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ଚକିତ।
ପାକିସ୍ତାନୀ ଟିମ୍ ମ୍ୟାନେଜମେଣ୍ଟ ଚାହାନ୍ତି ଖେଳାଳି ମ୍ୟାଚ୍ ପୂର୍ବରୁ କୌଣସି ପ୍ରକାରର ବାହ୍ୟ କୋଳାହଳ ଏବଂ ପ୍ରଶ୍ନ ଉତ୍ତରରୁ ଦୂରେଇ ରୁହନ୍ତୁ। ଏହା ସହିତ ମ୍ୟାଚ୍ ପୂର୍ବରୁ ମାନସିକ ଭାବେ ମଜବୁତ ହୁଅନ୍ତୁ।ଏହି କାରଣରୁ ଦଳରେ ମୋଟିଭେସନାଲ ସ୍ପିକରଙ୍କୁ ଯୋଡ଼ା ଯାଇଛି। ଏମିତି ହେଲେ ଖେଳାଳିଙ୍କୁ ମାନସିକ ଭାବେ ମଜବୁତି ମିଳିବ। ରାହିଲଙ୍କ କାମ ଖେଳାଳିଙ୍କୁ ମାନସିକ ଭାବେ ମଜବୁତ କରିବା, ଆତ୍ମ ବିଶ୍ଵାସ ବଢାଇବା ଏବଂ ମ୍ୟାଚ୍ ଚାପରୁ ବର୍ତ୍ତିବାର ଟ୍ରେନିଂ ଦେବା।
ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ ଷ୍ଟେଜରେ ମୁକାବିଲା ବହୁତ ଚର୍ଚ୍ଚାରେ ରହିଥିଲା। ମ୍ୟାଚ୍ ସରିବା ପରେ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ମନା କରି ଦେଇଥିଲେ। ଏହି କାରଣରୁ ପାକିସ୍ତାନୀ ଦଳ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ପୁରସ୍କାର ସମାରୋହର ବହିଷ୍କାର କରିଥିଲା।
ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ମ୍ୟାଚ୍ ରେରଫୀ ଆଣ୍ଡି ପାଇକ୍ରଫ୍ଟ ଏବଂ ଭାରତୀୟ ଦଳ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ନିକଟରେ ଅଭିଯୋଗ କରିଥିଲା। ମାତ୍ର ଆଇସିସି ପାକିସ୍ତାନ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା। ତେବେ ଏସବୁ ମଧ୍ୟରେ ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ।