ଭୁବନେଶ୍ୱର : ରେଳ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା 'ରେଳ ନୀର'ର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । GST ହ୍ରାସ ନିଷ୍ପତ୍ତି ପରେ ‘ରେଲ୍ ନୀର’ ପାଣି ଦାମ୍ କମାଇଛି ରେଲୱେ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ । ରେଲୱେର ବାଣିଜ୍ୟିକ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ଦିଆଯାଇଛି । ଆସନ୍ତା ୨୨ରୁ ଲାଗୁ ନେଇ ‘ଏକ୍ସ’ ଜରିଆରେ ରେଲୱେ ପକ୍ଷରୁ ସୂଚନା ଜାରି ହୋଇଛି।
ତେବେ ଏହି ନିଷ୍ପତ୍ତି କେବଳ 'ରେଳ ନୀର' ଉପରେ ହିଁ ଲାଗୁ ହେବ । ଅନ୍ୟ କମ୍ପାନିର ପାଣି ବୋତଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ରେଳ ନୀରର ମୂଲ୍ୟ ହ୍ରାସ କରିଛି । ଏଣିକି ରେଲୱେ ପ୍ଲାଟ୍ଫର୍ମ ଓ ଟ୍ରେନ୍ରେ ମିଳୁଥିବା ରେଳ ନୀର ୧ ଟଙ୍କା ଶସ୍ତାରେ ମିଳିବ । ଏକ ଲିଟର ବିଶିଷ୍ଟ ରେଳ ନୀର ବୋତଲ ଯାହା ପୂର୍ବେ ୧୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ୧୪ ଟଙ୍କାରେ ମିଳିବ । ଅଧା ଲିଟର ବିଶିଷ୍ଟ ରେଳ ନୀର ବୋତଲ, ଯାହା ପୂର୍ବେ ୧୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୯ ଟଙ୍କାରେ ମିଳିବ ।