ଭୁବନେଶ୍ଵର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡ଼ପ କରିବା ଅଭିଯୋଗରେ ଆସନ୍ତା ୨୩ରେ ବିଜୁ ଜନତା ଦଳ ବିଧାନସଭା ଘେରାଉ କରିବ । ଶନିବାର ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅରୁଣ ସାହୁ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାନସଭା ଘେରାଉ ପାଇଁ ଘୋଷଣା ହୋଇଛି । ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିଥିବା ବିଜେଡ଼ି ଅଭିଯୋଗ ଆଣିଛି । ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରାଯାଉଛି। ବିଜେଡି ନିରବ ଦ୍ରଷ୍ଟା ହୋଇ ରହିବ ନାହିଁ । ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ କରିବ ବୋଲି ଦଳ ଚେତାବନୀ ଦେଇଛି । ଜିଲ୍ଲା ପରିଷଦଙ୍କୁ ଅବହେଳା କରାଯାଉଛି, ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି । ଯାହାର ପ୍ରତିବାଦରେ ବିଜେଡ଼ି ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି ।