ଭୁବନେଶ୍ୱର: କଟକ-ଭୁବନେଶ୍ୱର ରାସ୍ତାରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୁଇ ସହର ମଧ୍ୟରେ ସଂଯୋଗ କରୁଥିବା ତ୍ରିଶୁଳିଆ ବ୍ରିଜ ଭଳି ମହାନଦୀ ଉପରେ ଆଉ ଗୋଟିଏ ବ୍ରିଜ୍ ନିର୍ମାଣ କରାଯିବ । ସେହିପରି ଦ୍ୱିତୀୟ ଲୋକସେବା ଭବନ ନିର୍ମାଣ କରାଯିବା ନେଇ ଗୃହରେ ଉତ୍ତର ରଖିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ପଚାରିଥିବା ପ୍ରଶ୍ନରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ଉତ୍ତର ମୁତାବକ, କଟକ-ଭୁବନେଶ୍ୱର ରାସ୍ତାରେ ଭିଡ଼ ନିୟନ୍ତ୍ରଣ ଦ୍ୱିତୀୟ ତ୍ରିଶୁଳିଆ ବ୍ରିଜ୍ ନିର୍ମାଣ କରାଯିବ । ଏଥିପାଇଁ ବ୍ୟୟ ଅଟକଳ କରାଯାଇଛି । ୨୯୭ କୋଟି ଟଙ୍କା ବିନିମୟରେ ବ୍ରିଜ୍ ତିଆରି ହେବ । ଏଥିପାଇଁ ଟେଣ୍ଡର୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଆସନ୍ତା ୩ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ କରିବା ସମୟ ସୀମା ନିର୍ଦ୍ଧାରଣ କରାଯିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ସେହିପରି ବିଧାୟିକା ସୁବାସିନୀ ଜେନା ଲୋକସେବା ଭବନ ନିର୍ମାଣ ସମ୍ପର୍କିତ ପଚାରିଥିବା ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ । ରାଜ୍ୟରେ ଦ୍ୱିତୀୟ ଲୋକସେବା ଭବନ ନିର୍ମାଣ କରାଯିବ । ନୂତନ ଲୋକସବା ଭବନ ନିର୍ମାଣ କରିବା ନିମନ୍ତେ ରାଜ୍ୟ ସରକାର ତାହାର ମାଷ୍ଟର୍ ପ୍ଲାନ୍ ବନେଇବା ନିମନ୍ତେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିବର୍ଦ୍ଧିତ ଯୋଜନାର ମାଷ୍ଟର ପ୍ଲାନ ତିଆରି କରାଯାଉଅଛି । ଏହି ମାଷ୍ଟର ପ୍ଲାନ ଟି ଅନୁମୋଦନ ହେଲା ପରେ ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ ବିସ୍ତୃତ ବ୍ୟୟଅଟକଳ କରାଯିବ ଏବଂ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ବର୍ତ୍ତମାନର ଲୋକସେବା ଭବନ କୋଠା ୬୮ ବର୍ଷ ପୁରାତନ ଅଟେ ଏବଂ ଏହାର ପରିସରରେ ଗୁରୁତର ପାର୍କିଂ ସମସ୍ୟା ପରିଲକ୍ଷିତ ହେଉଅଛି ।