ଭୁବନେଶ୍ୱର : ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର। ଏନେଇ ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ରହିଛି। ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବାକୁ ପ୍ରସ୍ତାବ ଅଛି। ସରକାର ବାଲେଶ୍ୱରରେ ସର୍ବାଧିକ ୧୭ଟି ମଦ ଦୋକାନ ଖୋଲିବେ । ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନ ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ନେତା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ଶୋକ ପ୍ରସ୍ତାବ ଆଗତ ପରେ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା। ବାଚସ୍ପତିଙ୍କ ପୋଡ଼ିୟମ ତଳେ ହୋହଲ୍ଲା ସହ ନାରାବାଜୀ କରିଥିଲେ ବିରୋଧୀ। ତେଣୁ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କଲେ ।