ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଓଲା ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ଚନ୍ଦକା ଜଙ୍ଗଲରୁ ମୃତଦେହ ଜବତ କରିଛି ପୁଲିସ। ମୃତକ ହେଲେ ଭୁବନେଶ୍ୱର ଶିଶୁପାଳଗଡର ବିଦ୍ୟାଧର ସାହୁ ।
ବିଦ୍ୟାଧର ପ୍ରାୟ ୨ ବର୍ଷ ହେବ ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରୁଥିଲେ। ତେବେ ହଠାତ ତାଙ୍କ ଗାଡିଟି ରାସ୍ତା ଉପରେ ଛିଡା ହୋଇଥିବା ଦେଖି ସେହି ବାଟ ଦେଇ ଯାଉଥିବା ତାଙ୍କର ଜଣେ ସମ୍ପର୍କୀୟ ଅଟକି ଯାଇଥିଲେ। ପରେ ଗାଡି ପାଖକୁ ଯାଇ ଖୋଜାଖୋଜି କରିଥିଲେ। ତେବେ ଗାଡି ଥିଲେ ମଧ୍ୟ ବିଦ୍ୟାଧର ନଥିଲେ। ପରେ ଏହାର କିଛି ଦୂରରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ସେ ପାଇଥିଲେ। ଏହାପରେ ଘର ଲୋକ ଓ ପିସିଆରକୁ ସେ ଯୋଗଯୋଗ କରିଥିଲେ।
ବିଦ୍ୟାଧର ଗତ ୧୫ ତାରିଖରୁ ନିଖୋଜ ଥିଲେ। ଏହାପରେ ୧୯ ତାରିଖରେ ବଡ଼ଗଡ଼ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପରିବାର। ଏହାରି ଭିତରେ ଅପହରଣକାରୀ ୨ କୋଟି ଟଙ୍କା ମାଗୁଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ ପରିବାର ଲୋକ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।