ନୂଆଦିଲ୍ଲୀ: ଭାରତର ତାରକା ଅଲରାଉଣ୍ଡର ଅକ୍ଷର ପଟେଲ ଓମାନ ବିପକ୍ଷ ଏସିଆ କପର ଗ୍ରୁପ ଷ୍ଟେଜର ଶେଷ ମ୍ୟାଚରେ ଆହତ ହୋଇଛନ୍ତି । ଫଳରେ ତାଙ୍କୁ ଖେଳ ମଝିରେ ପଡିଆ ଛାଡିବାକୁ ପଡିଥିଲା । ଅକ୍ଷରଙ୍କ ଆହତ ସମସ୍ୟା ଭାରତୀୟ ଦଳକୁ ସମସ୍ୟାରେ ପକାଇଛି । କାରଣ ସେପ୍ଟେମ୍ବର ୨୧ରେ ସୁପର-୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଲାଯିବ ହାଇଭୋଲଟେଜ ମ୍ୟାଚ୍ । ଯଦି ଅକ୍ଷର ପଟେଲଙ୍କ ଆହତ ଗମ୍ଭୀର କିମ୍ବା ସେ ନିଜକୁ ଫିଟ୍ ଅନୁଭବ କରୁ ନାହାନ୍ତି ତେବେ ସେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍ ପଡି ପାରନ୍ତି । ହେଲେ ମ୍ୟାଚ୍ ସରିବା ପରେ ଫିଲ୍ଡିଂ କୋଚ୍ ଟି ଦିଲୀପ ଅକ୍ଷରଙ୍କ ଆହତ ସସମ୍ୟାକୁ ନେଇ ସୂଚନା ଦେଇଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଟି ଦିଲୀପ ଭାରତ ବନାମ ଓମାନ ମ୍ୟାଚ୍ ପରେ କହିଛନ୍ତି ଯେ, ଅକ୍ଷର ପଟେଲ୍ ସୁସ୍ଥ ଅଛନ୍ତି । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଇଁ ସେ ଦଳରେ ଉପଲବ୍ଧ ହେବେ କି ନାହିଁ । ଯଦି ଅକ୍ଷର ପାକିସ୍ତାନ ବିପକ୍ଷ ମୁକାବିଲା ନ ଖେଳନ୍ତି ତେବେ ଏହା ଟିମ୍ ଇଣ୍ଡିଆ ପାଇଁ ବଡ ଝଟକା ହେବ । ବୋଲିଂ ସହିତ ବ୍ୟାଟିଂରେ ଭାରତୀୟ ଦଳର କ୍ଷତି ହେବ ଏବଂ ଦଳ ସଂଯୋଜନା ବିଗିଡିବ ।
ଅକ୍ଷର ବାଦ୍ ପଡିଲେ ଭାରତକୁ ଦୁବାଇର ସ୍ପିନ ଉପଯୋଗୀ ପିଚରେ ତୃତୀୟ ସ୍ପିନରର ଅଭାବ ଅନୁଭୂତ ହେବ । ଅକ୍ଷରଙ୍କ ପରେ ଭାରତୀୟ ଦଳରେ ତୃତୀୟ ସ୍ପିନର ବିକଳ୍ପ ବି ନାହିଁ । ଏମିତିରେ ଭାରତକୁ ଅର୍ଶଦୀପଙ୍କୁ ଖେଳାଇବାକୁ ପଡିବ । ଅକ୍ଷରଙ୍କୁ ଓମାନ ଇନିଂସର ୧୫ତମ ଓଭରରେ ଆଘାତ ଲାଗିଥିଲା । ହମାଦ ମିର୍ଜାଙ୍କ ଏକ ସଟ୍ ରୋକିବା ପାଇଁ ସେ ଦୌଡିଥିଲେ । ଏହି ସମୟରେ ସେ ଆହତ ହୋଇଥିଲେ । ସେ ଓମାନ ବିପକ୍ଷରେ ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ । ବ୍ୟାଟିଂରେ ୧୩ ବଲରୁ ୨୬ ରନର ଦ୍ରୁତ ଇନିଂସ ଖେଳିଥିଲେ ।
Also read: ୭୦ ମିନିଟରେ ଭାଙ୍ଗିଗଲା ଗର୍ବ: ଆତ୍ମସମର୍ପଣ କଲା ପାକିସ୍ତାନ, ବିଶ୍ବସ୍ତରରେ ହେଲା ଅପଦସ୍ତ