ନୂଆଦିଲ୍ଲୀ: ଏସିଆ କପକୁ ନେଇ ଡ୍ରାମା ଥମିବାର ନାଁ ନେଉ ନାହିଁ। ଆଜି ଏସିଆ କପରେ ପାକିସ୍ତାନ ବନାମ ୟୁଏଇ ମ୍ୟାଚ୍ ଖେଳା ଯିବାର ଥିଲା। ହେଲେ ଏହି ମୁକାବିଲା ବାତିଲ ହୋଇପାରେ। ରିପୋର୍ଟ ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୟୁଏଇ ସହ ମ୍ୟାଚ୍ ଖେଳିବାକୁ ମନା କରି ଦେଇଛି। ଦଳକୁ ହୋଟେଲକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନୀ ନ୍ୟୁଜ୍ ଏଜେନ୍ସି ଜିଓ ନ୍ୟୁଜ୍ ଅନୁଯାୟୀ, ପାକିସ୍ତାନୀ ଦଳ ଦୁବାଇ ଷ୍ଟାଡିୟମକୁ ଏ ପର୍ଯ୍ୟନ୍ତ ଯାଇ ନାହିଁ। ପିସିବି ଅଧିକାରୀମାନେ ଖୁବ୍ ଶୀଘ୍ର ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଆଶା କରାଯାଉଛି।
ପାକିସ୍ତାନ ବନାମ ୟୁଏଇ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଜିଓ ନ୍ୟୁଜ୍ ଅନୁଯାୟୀ, ପାକିସ୍ତାନ ଦଳ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମକୁ ଯିବା ପୂର୍ବରୁ ଖେଳାଳିମାନଙ୍କୁ ହୋଟେଲକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମ୍ୟାଚ୍ ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି, କିନ୍ତୁ ମ୍ୟାଚକୁ ନେଇ ଅନିଶ୍ଚିତତା ଜାରି ରହିଛି। ଏହି ସମୟରେ ୟୁଏଇ ଦଳ ଷ୍ଟାଡିୟମରେ ପହଞ୍ଚିଛି, କିନ୍ତୁ ଶେଷ ମୁହୂର୍ତ୍ତରେ ପାକିସ୍ତାନୀ ଦଳ ମ୍ୟାଚ୍ ରୁ ଓହରି ଯାଇଛି।
ଭାରତ-ପାକିସ୍ତାନ ମ୍ୟାଚ୍ ପରେ, ପିସିବି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଏସିଆ କପ୍ ମ୍ୟାଚ୍ ରେଫରି ପ୍ୟାନେଲରୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଅନୁରୋଧ କରିଥିଲା। ଆଇସିସି ପାକିସ୍ତାନର ଅନୁରୋଧକୁ ଖାରଜ କରିଦେଇଛି। ପ୍ରଥମ ଆବେଦନ ଖାରଜ ହେବା ପରେ, ପିସିବି ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ଦ୍ୱିତୀୟ ଚିଠି ଲେଖି ଧମକ ଦେଇଥିଲା ଯେ ଯଦି ଏହାର ଦାବି ପୂରଣ ନ ହୁଏ ତେବେ ଏସିଆ କପ୍ ବର୍ଜନ କରିବ। ଆଉ ଏହାର ପ୍ରଭାବ ଏବେ ଦେଖିବାକୁ ମିଳିଛି।