ନୂଆଦିଲ୍ଲୀ: ଭାରତର ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ପ୍ରଜ୍ଞାନ ଓଝା ଓ ଆରପି ସିଂ ଜାତୀୟ ଚୟନ କମିଟିର ସଦସ୍ୟ ଭାବେ ଚୟନ ହୋଇ ପାରନ୍ତି । ଜାତୀୟ ଚୟନ କମିଟିରେ ଦୁଇଟି ପଦ ଖାଲି ରହିଛି ଏବଂ ବିସିସିଆଇ ଏହି ପଦରେ ନିଯୁକ୍ତି ଦେବା ପାଇଁ ଗତ ମାସରୁ ଆବେଦନ ମଗାଇଥିଲା । ପ୍ରବୀଣ କୁମାର, ଆଶିଷ୍ଟ ଭିଷ୍ଟନ ଜୈଦୀ ଓ ଶକ୍ତି ସିଂ ମଧ୍ୟ ଆବେଦନ କରିଛନ୍ତି । କିନ୍ତୁ ଓଝା ଓ ଆରପି ସିଂ ଦୌଡରେ ଆଗରେ ଥିବା କୁହାଯାଉଛି । ଉଭୟ ଆସନ୍ତା ମାସରୁ ପଦ ସମ୍ଭାଳି ପାରନ୍ତି ।
ଜାତୀୟ ଚୟନ କମିଟିରେ ସେଣ୍ଟ୍ରାଲ ଜୋନରୁ ସୁବ୍ରତ ବାନାର୍ଜୀ ଓ ସାଉଥ ଜୋନରୁ ଏସ ଶରଥଙ୍କ ଜାଗା ପାଇଁ ବିସିସିଆଇ କିଛି ମାପଦଣ୍ଡ ସ୍ଥିର କରିଛି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସାଉଥ ଜୋନରୁ ପ୍ରଜ୍ଞାନ ଓଝା ଓ ସେଣ୍ଟ୍ରାଲ ଜୋନରୁ ଆରପି ସିଂ ଜାତୀୟ ଚୟନକର୍ତ୍ତା ହୋଇ ପାରନ୍ତି ।
ପୂର୍ବତନ ଦ୍ରୁତ ବୋଲର ଆରପି ସିଂ ୟୁପିର ନିବାସୀ । ସେ ଣ୍ଟ୍ରାଲ ଜୋନରୁ ତାଙ୍କ ବ୍ୟତୀତ ୟୁପିର ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପ୍ରବୀଣ କୁମାର ମଧ୍ୟ ଆବେଦନ କରିଛନ୍ତି । କୁମାର ଭାରତ ପାଇଁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ବିସିିସିଆଇ ଦୁଇ ଜାତୀୟ ଚୟନକର୍ତ୍ତା ଚୟନ ପାଇଁ କିଛି ମାପଦଣ୍ଡ ସ୍ଥିର କରିଛି । ଏହା ଅନୁଯାୟୀ, ଆଶାୟୀ ଅତି କମରେ ସାତୋଟି ଟେଷ୍ଟ ମ୍ୟାଚ୍ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍ କିମ୍ବା ୧୦ ଦିନିକିଆ ଅନ୍ତର୍ଜାତୀୟ ଏବଂ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ । ଏହା ବ୍ୟତୀତ ଆଶାୟୀ କ୍ରିକେଟରୁ ଅତି କମରେ ୫ ବର୍ଷ ପୂର୍ବରୁ ଅବସର ନେଇଥିବେ । ଏହା ବାଦ ଗତ ୫ ବର୍ଷରେ କୌଣସି ବି କ୍ରିକେଟ୍ କମିଟିର ସଦସ୍ୟ ହୋଇ ନ ଥିବେ ।
ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ ଟେଷ୍ଟ, ୧୮ ଦିନିକିଆ ଓ ୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଆରପି ସିଂ ୧୪ ଟେଷ୍ଟ, ୫୮ ଦିନିକିଆ ଓ ୧୦ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି । ପ୍ରବୀଣ କୁମାର ୬ଟି ଟେଷ୍ଟ, ୬୮ ଦିନିକିଆ ଓ ୧୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
Also read: ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ସ୍ପନସର, ଏବେ ଟିମ୍ ଇଣ୍ଡିଆର ଜର୍ସିରେ ରହିବ ଆପୋଲ ଟାୟାର୍ସର ନାଁ