ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରାଫ୍ଟଙ୍କୁ ଏସିଆ କପରୁ ହଟାଇବା ପାଇଁ ଦାବି କରିବା ସହ ଧମକ ଦେଇଥିଲା । ଆଇସିସିକୁ ଚେତାବନୀ ଦେଇଥିଲା ଯେ, ଯଦି ଦାବି ପୂରଣ ନ ହୁଏ ତେବେ ପାକିସ୍ତାନ ଏସିଆ କପରୁ ବହିଷ୍କାର କରିପାରେ । ଆଉ ଆଇସିସି ନିଜର ନିଷ୍ପତ୍ତି ଶୁଣାଇ କହି ଦେଇଛି ଯେ, ମ୍ୟାଚ୍ ରେଫରୀ ପାଇକ୍ରାଫ୍ଟ ଏସିଆ କପରୁ ହଟିବେ ନାହିଁ । ଏବେ ସଦ୍ୟତମ ଖବର ଅନୁଯାୟୀ ପାକିସ୍ତାନ ମଧ୍ୟ ନିଜର ବୟକଟ୍ ଧମକରୁ ପଛକୁ ହଟିଛି ଏବଂ ୟୁଏଇରେ ରହି ଏସିଆ କପ୍ ଖେଳିବ ।
ଇଏସପିଏନ କ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଟୁର୍ଣ୍ଣାମେଣ୍ଟର ବହିଷ୍କାର କରିବ ନାହିଁ । ଏହାର ଅର୍ଥ ସେପ୍ଟେମ୍ବର ୧୭ରେ ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଗ୍ରୁପ ଏରୁ ଭାରତ ପ୍ରଥମରୁ ହିଁ ସୁପର-୪ ପାଇଁ କ୍ୱାଲିଫାଏ କରି ସାରିଛି । ତେଣୁ ବୁଧବାର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ପାକିସ୍ତାନ ଏବଂ ୟୁଏଇ ମ୍ୟାଚରେ ଯେଉଁ ଦଳ ଜିତିବ ସେ ସୁପର-୪ରେ ପ୍ରବେଶ କରିବ ।
ପିସିିବି ଅଭିଯୋଗ କରିଥିଲା ଯେ, ଟସ୍ ସମୟରେ ମ୍ୟାଚ୍ ରେଫରୀ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗାଙ୍କୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ । ପିସିବି ଆଇସିସି ନିକଟରେ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରାଫ୍ଟଙ୍କ ଅଭିଯୋଗ କରିଥିଲା । ଏସିଆ କପରୁ ତତ୍କାଳ ତାଙ୍କୁ ହଟାଇବା ପାଇଁ ଦାବି କରିଥିଲା । ପିସିବି ଧମକ ଦେଇଥିଲା ଯେ, ଯଦି ଏମିତି ନ ହୁଏ ତେବେ ତାଙ୍କ ଦଳ ଏସିଆ କପରୁ ଓହରିଯିବ । ହେଲେ ଆଇସିସି ମଙ୍ଗଳବାର ପାକିସ୍ତାନର ଏହି ଦାବିକୁ ଅଗ୍ରାହ୍ୟ କରି ଦେଇଛି ।
ସୂଚନାଯୋଗ୍ୟ, ଏସିଆ କପ୍ ୨୦୨୫ ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗାଙ୍କ ସହ ହାତ ମିଳାଇ ନ ଥିଲେ । ମ୍ୟାଚ୍ ସରିବା ପରେ ବି ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମଧ୍ୟ ମିଳାଇ ନ ଥିଲେ । ଏପରିକି ଡ୍ରେସିଂ ରୁମର କବାଟ ବନ୍ଦ କରି ଦେଇଥିଲେ ଭାରତୀୟ ଖେଳାଳି । ଏହାକୁ ନେଇ ଖୁବ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏଥିପାଇଁ ପାକିସ୍ତାନ ମ୍ୟାଚ୍ ରେରଫୀ ଆଣ୍ଡି ପାଇକ୍ରାଫ୍ଟଙ୍କୁ ଦାୟୀ କରିଥିଲା ।
Also read: ବେଟିଂ ଆପ୍ ମାମଲାରେ ଯୁବରାଜ ସିଂହ, ରବିନ ଉଥାପ୍ପା ଏବଂ ସୋନୁ ସୁଦଙ୍କୁ ସମନ