ଦୁବାଇ: ବହୁ କଳ୍ପନା ଜଳ୍ପନା ଏବଂ ବାଦ ବିବାଦ ପରେ ଶେଷରେ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ୯ ୱିକେଟ୍ ହରାଇ ୧୨୭ ରନ କରି ପାରିଛି । ଭାରତ ସାମ୍ନାରେ ରହିଛି ମାତ୍ର ୧୨୮ ରନର ବିଜୟ ଲକ୍ଷ୍ୟ । ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ ୪୦ ରନ କରିଥିବା ବେଳେ ଶାହୀନ ଶାହ ଆଫ୍ରିଦି ୩୩ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଭାରତ ପକ୍ଷରୁ କୁଲଦୀପ ଯାଦବ ଘାତକ ବୋଲିଂ କରି ୪ ଓଭରରେ ୧୮ ରନ ଦେଇ ୩ଟି ୱିକେଟ୍ ନେଇଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନକୁ ପ୍ରଥମ ବଲରେ ହିଁ ଝଟକା ଲାଗିଥିଲା । ସାମ ଆୟୁବ ଖାତା ଖୋଲିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ । ପାକିସ୍ତାନ ପାଇଁ ଗତ ମ୍ୟାଚର ହିରୋ ମହମ୍ମଦ ହାରିସ(୩) ବୁମରାଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ଫକର ଜମାନ ଓ ସାହିବଜାଦା ଫରହାନ ତୃତୀୟ ୱିକେଟରେ ୩୯ ରନ ଯୋଡି ଦଳର ସ୍ଥିତି ସୁଧାରିଥିଲେ । ଫକର ଜମାନ ୧୭ ରନ କରି ଆଉଟ୍ ହୋଇଥିଲେ । ଗୋଟିଏ ପଟେ ଫରହାନ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ପାକିସ୍ତାନର ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ ।
ଅଧିନାୟକ ସଲମାନ ଆଘା ୩ ରନ, ହସନ ନୱାଜ ୫ ରନ ମହମ୍ମଦ ନୱାଜ ଖାତା ବି ଖୋଲି ପାରି ନ ଥିଲେ । ଫରହାନ ୪୪ ବଲରୁ ୪୦ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଏକଦା ୮୩ ରନରେ ୭ ୱିକେଟ ହରାଇଥିବା ପାକିସ୍ତାନ ପକ୍ଷରୁ ଶେଷ ଆଡକୁ ଶାହୀନ ଆଫ୍ରିଦି ୧୬ ବଲରୁ ୩୩ ରନର ଦ୍ରୁତ ଇନିଂସ ଖେଳିବାରୁ ପାକିସ୍ତାନ ୯ ୱିକେଟ ହରାଇ ୧୨୭ ରନର ସମ୍ମାନଜନକ ସ୍କୋର କରି ପାରିଥିଲା ।
ଭାରତ ପକ୍ଷରୁ କୁଲଦୀପ ଯାଦବ ୧୮ ରନ ଦେଇ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ମଧ୍ୟ ସମାନ ୧୮ ରନ ଦେଇ ୨ଟି ୱିକେଟ ନେଇଥିଲେ । ବୁମରାଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ୨୮ ରନ ବ୍ୟୟ କରିଥିଲେ ।