ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗାଙ୍କ ସହ ହାତ ମିଳାଇ ନ ଥିଲେ । ମ୍ୟାଚ୍ ସରିବା ପରେ ବି ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମଧ୍ୟ ମିଳାଇ ନ ଥିଲେ । ଏପରିକି ଡ୍ରେସିଂ ରୁମର କବାଟ ବନ୍ଦ କରି ଦେଇଥିଲେ ଭାରତୀୟ ଖେଳାଳି । ଏହାକୁ ନେଇ ଖୁବ ବିବାଦୀୟ ପରିସ୍ଥିତି ଉପୁଜିଛି । ଏହି ମାମଲାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଆଇସିସି ନିକଟରେ ଅଭିଯୋଗ କରିଥିଲା । ମାତ୍ର ଆଇିସିସି ପିସିିବିର ଉକ୍ତ ଦାବିକୁ ଖାରଜ କରି ଦେଇଛି , ଯେଉଁଥିରେ ଦାବି କରାଯାଇଥିଲା ଯେ, ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରାଫ୍ଟଙ୍କୁ ଏସିଆ କପରୁ ହଟାଯାଉ ଅନ୍ୟଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ଏସିଆ କପକୁ ବହିଷ୍କାର କରିବ ।
କ୍ରିକବଜର ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ ପିସିବିକୁ ଏହି ସୂଚନା ଦେଇ ଦିଆଯାଇଛି । ପିସିବିର ଦାବି ଉପରେ ଆଇସିିସି ପକ୍ଷରୁ ଏହି ଔପଚାରିକ ଜବାବ ଦିଆଯାଇଛି । ପିସିିବି ଅଭିଯୋଗ କରିଥିଲା ଯେ, ଟସ୍ ସମୟରେ ମ୍ୟାଚ୍ ରେଫରୀ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗାଙ୍କୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ । ହେଲେ ଆଇସିସି ଏହାର କାରଣରେ ଦର୍ଶାଇଛି ଯେ, ଏସୀୟ କ୍ରିକେଟ୍ କାଉନସିଲର ଅଧିକାରୀ ପାଇକ୍ରଫ୍ଟଙ୍କୁ ଜଣାଇଥିଲେ ଯେ, ଟସ୍ ସମୟରେ କୌଣସି ଅଧିନାୟକ ହାତ ମିଳାଇବେ ନାହିଁ ।
ଆଇସିସି ନିଜ ଚିଠିରେ ସ୍ପଷ୍ଟ କରି ଦେଇଛି ଯେ, ମ୍ୟାଚ୍ ରେଫରୀ ଭାରତୀୟ ଦଳ ପାଇଁ କାମ କରୁ ନ ଥିଲେ । ସେ ଏସିସିର ଅଧିକାରୀଙ୍କ ଅନୁସାରେ ମ୍ୟାଚ୍ ପରିଚାଳନା କରିଥିଲେ । ଉଲ୍ଲେଖନୀୟ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ କୋଚ୍ ଗୌତମ ଗମ୍ଭୀର ଉଭୟ ମ୍ୟାଚ୍ ସରିବା ପରେ ଗୋଟିଏ ସ୍ୱରରେ କହିଥିଲେ ଯେ, ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କ ବେଦନାକୁ ବୁଝି ଏବଂ ଭାରତୀୟ ସେନାଙ୍କ ସମ୍ମାନରେ ଏମିତି କରିଥିଲେ । ଏବେ ଦେଖିବାକୁ ବାକି ରହିଲା ପାକିସ୍ତାନ ନିଜ ଧମକରେ କାଏମ ରହୁଛି ନା ନାହିଁ ? ପାକିସ୍ତାନ କ୍ରିକେଟ୍ ଦଳ କହିଥଲା ଯେ, ଯଦି ମ୍ୟାଚ୍ ରେଫରୀକୁ ନ ହଟାଯାଏ ତେବେ ଏସିଆ କପକୁ ବୟକଟ କରିବ ।