ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି, ପୂର୍ବତନ ସ୍ପିନର ହରଭଜନ ସିଂ, ବିସିସିଆଇ ସଚିବ ଦେବଜିତ ସୈକିୟା, ଆଇପିଏଲର ଅଧ୍ୟକ୍ଷ ଅରୁଣ ସିଂ ଧୁମଲ ସେପ୍ଟେମ୍ବର ୨୮ରେ ବିସିସିଆଇର ସାଧାରଣ ବାର୍ଷିକ ବୈଠକରେ ଯୋଗ ଦେବେ । ସାଧାରଣ ନିର୍ବାଚନ ପୂର୍ବରୁ ଏହି ସବୁ ବ୍ୟକ୍ତି ବିଶେଷଙ୍କୁ ପୂର୍ଣ୍ଣ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଗାଙ୍ଗୁଲିଙ୍କୁ ଏହି ଏଜିଏମରେ ନିଜର ପ୍ରତିନିଧିତ୍ୱ କରିଥିବା ବେଳେ ହରଭଜନ ସିଂ ପଞ୍ଜାବ କ୍ରିକେଟ୍ ସଂଘର ପ୍ରତିନିଧିତ୍ୱ କରିବେ ।
ନିର୍ବାଚନ ଅଧିକାରୀ ଏକେ ଜ୍ୟୋତିଙ୍କ ଦ୍ୱାରା ଶନିବାର ଜାରି ତାଲିକା ଅନୁସାରେ ସୈକିୟା ଓ ଧୂମଲ କ୍ରମଶଃ ଆସାମ କ୍ରିକେଟ୍ ସଂଘ ଓ ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘର ପ୍ରତିନିଧତ୍ୱ କରିବେ । ଏହିପରି ବିସିିସିଆଇର କୋଷାଧ୍ୟକ୍ଷ ପ୍ରଭତେଜ ସିଂ ଭାଟିଆ ଛତିଶଗଡ ରାଜ୍ୟ କ୍ରିକେଟ୍ ସଂଘ ଓ ବୋର୍ଡର ଯୁଗ୍ମ ସଚିବ ରୋହନ ଗୋନ୍ସ ଦେସାଇ ଗୋଆ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ବିସିିସଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଉତ୍ତର ପ୍ରଦେଶ କ୍ରିକେଟ୍ ସଂ ଘ, ସଞ୍ଜୟ ନାଇକ ଓ ରୋହନ ଜେଟଲୀ କ୍ରମଶଃ ମୁମ୍ବାଇ ଓ ଦିଲ୍ଲୀ କ୍ରିକେଟ୍ ସଂଘ ପକ୍ଷରୁ ପ୍ରତିନିଧିତ୍ୱ କରିବେ ।
ସୂଚନାଯୋଗ୍ୟ, ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ସାରିଛି । ତାଙ୍କ ସ୍ଥାନରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରାଜୀବ ଶୁକ୍ଳା ଦାୟିତ୍ୱରେ ଅଛନ୍ତି । ଖୁବ ଶୀଘ୍ର ବିସିିସିଆଇର ଅଧ୍ୟକ୍ଷ ପଦରେ ନିର୍ବାଚନ ହୋଇପାରେ । ଏହାକୁ ନେଇ କିଛି ବରିଷ୍ଠ କ୍ରିକେଟରଙ୍କ ନାଁ ଉପରେ ଚର୍ଚ୍ଚା ଚାଲିଛି । କୁହାଯାଉଛି ଏଥର କୌଣସି ଜଣେ ବରିଷ୍ଠ କ୍ରିକେଟରଙ୍କୁ ଅଧ୍ୟକ୍ଷ ପଦ ଦାୟିତ୍ୱ ମିଳିପାରେ ।