ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନର ଏସିଆ କପ୍ ମ୍ୟାଚକୁ ନେଇ ବିବାଦ ଜାରି ରହିଛି । ଏହି ମହାମୁକାବିଲାକୁ ଆଇ କେଇ ଘଣ୍ଟା ବାକି ରହିଛି । ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ ରାଜନୀତି ଥମିବାର ନାଁ ନେଉନି । ଲଗାତାର ଭାରତ-ପାକ୍ ମ୍ୟାଚ୍ ରଦ୍ଦ କରିବାକୁ ଦାବି ଜୋରଦାର ହେଉଛି । ଏହି ସବୁ ମଧ୍ୟରେ ବିସିସିଆଇ ସଚିବ ଦେବଜିତ ସୈକିୟା ସଫେଇ ଦେଇଛନ୍ତି । ସେ ଆସନ୍ତାକାଲିର ମ୍ୟାଚକୁ ନେଇ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି ।
ବିସିସିଆଇ ସଚିବ ଆଜତକ ସହ ଆଲୋଚନା ବେଳେ ଆସନ୍ତାକାଲିର ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି । ଏହା ସହିତ ଆଶା କରିଛନ୍ତି ଯେ, ଭାରତୀୟ ଦଳ ପୂରା ଜୋସର ସହ ମଇଦାନକୁ ଓହ୍ଲାଇବ । ସେ କହିଛନ୍ତି, ମୋତେ ଭରସା ଯେ, ଭାରତୀୟ ଖେଳାଳି ଜିତିବା ପାଇଁ ପୂରା ଶକ୍ତିର ସହ ମଇଦାନକୁ ଓହ୍ଲାଇବେ । ପାକିସ୍ତାନକୁ ହରାଇ ଭାରତ ସେସବୁ ଘଟଣାର ମୁହଁତୋଡ ଜବାବ ଦେବାକୁ ଚାହିଁବ । ଭାରତକୁ ଏମିତି ଦେଶ ସହିତ ଖେଳିବାକୁ ପଡୁଛି ଯାହା ସହ ଆମର ସଂପର୍କ ଭଲ ନୁହେଁ । ମାତ୍ର ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବା ଭାରତ ସରକାରଙ୍କ ନୀତି । ଏହି କାରଣରୁ ଆମେ ଏହି ମ୍ୟାଚକୁ ମନା କରି ପାରିବୁ ନାହିଁ ।
କିଛି ସପ୍ତାହ ପୂର୍ବେ ପାକିସ୍ତାନ ସହ ଖେଳିବା ନେଇ ଭାରତ ସରକାର ନୂଆ ନୀତି ଲାଗୁ କରିଥିଲେ । ଏହାକୁ ଉଲ୍ଲେଖ କରି ପୂର୍ବତନ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କହି ସାରିଛନ୍ତି ଯେ, ଏସିଆ କପ୍ କିମ୍ବା ବିଶ୍ୱକପ୍ ପରି ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଖେଳିବା ବାଧ୍ୟତାମୂଳକ । ପାକିସ୍ତାନ ସହ ନ ଖେଳିଲେ ଭାରତକୁ ପୂରା ଟୁର୍ଣ୍ଣାମେଣ୍ଟରୁ ନିଜର ନାଁ ପ୍ରତ୍ୟାହାର କରିବାକୁ ପଡିବ । ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ହେବ ନାହିଁ ବୋଲି ଠାକୁର ସ୍ପଷ୍ଟ କରିଥିଲେ ।
ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଏସିଆ କପ ୨୦୨୫ରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ । ଦୁଇ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ଖେଳି ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଭାରତ ପ୍ରଥମ ମ୍ୟାଚରେ ୟୁଏଇକୁ ତ ପାକିସ୍ତାନ ଓମାନକୁ ପରାସ୍ତ କରିଛି । ଭାରତ ବନାମ ପାକିସ୍ତାନ ମ୍ୟାଚରେ ଜିତିବା ଦଳ ସୁପର-୪ରେ ପ୍ରବେଶ କରିବ । ହାରିବା ଦଳର ପରବର୍ତ୍ତୀ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇଯିବ ।
Also read: ପାକିସ୍ତାନ ବିପକ୍ଷରେ କେମିତି ରହିବ ଭାରତର ପ୍ଲେଇଙ୍ଗ ଇଲେଭେନ, ଅର୍ଶଦୀପଙ୍କ ପ୍ରତ୍ୟାବର୍ତ୍ତନରେ କିଏ ବାଦ୍ ପଡିବ ?