ନୂଆଦିଲ୍ଲୀ: ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଏସିଆ କପ ୨୦୨୫ରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ । ଦୁଇ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ଖେଳି ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଭାରତ ପ୍ରଥମ ମ୍ୟାଚରେ ୟୁଏଇକୁ ତ ପାକିସ୍ତାନ ଓମାନକୁ ପରାସ୍ତ କରିଛି । ଭାରତ ବନାମ ପାକିସ୍ତାନ ମ୍ୟାଚରେ ଜିତିବା ଦଳ ସୁପର-୪ରେ ପ୍ରବେଶ କରିବ । ହାରିବା ଦଳର ପରବର୍ତ୍ତୀ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇଯିବ । ଟିମ୍ ଇଣ୍ଡିଆ ୟୁଏଇ ବିପକ୍ଷ ମ୍ୟାଚରେ ଯଶପ୍ରୀତ ବୁମରାଙ୍କ ରୂପେ କେବଳ ଜଣେ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଇଥିାଲ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅର୍ଶଦୀପ ସିଂଙ୍କ ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ ହୋଇପାରେ । ଏମିତି ହେଲେ ଜଣଙ୍କୁ ବେଞ୍ଚରେ ବସିବାକୁ ପଡିପାରେ ।
ଓୂର୍ଯ୍ୟକୁମାର ଯାଦବ ଓ ଗୌତମ ଗମ୍ଭୀରଙ୍କ ଯୋଡି ୟୁଏଇ ବିପକ୍ଷ ମ୍ୟାଚରେ ତିନି ସ୍ପିନର କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା । କୁଲଦୀପ ଯାଦବ ଏମିତି ପ୍ରଦର୍ଶନ କଲେ ଯେ, ତାଙ୍କୁ ଏବେ ବାହାରେ ବସାଇବା ବିଷୟରେ ଚିନ୍ତା ବି କରି ହେବନି । ୟୁଏଇ ବିପକ୍ଷ ମ୍ୟାଚରେ ସେ ୪ ୱିକେଟ୍ ନେଇଥିଲେ । ଏମିତିରେ ଅର୍ଶଦୀପଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ହେଲେ ଅକ୍ଷର ପଟେଲ କିମ୍ବା ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦିଆଯାଇପାରେ ।
ଅକ୍ଷର ପଟେଲ ନିମ୍ନକ୍ରମରେ ବ୍ୟାଟିଂରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି । ତାଙ୍କର ବ୍ୟାଟିଂ କ୍ଷମତାକୁ ନେଇ ସମସ୍ତେ ବେଶ ଭଲ ଭାବେ ଅବଗତ । ଏମିତିରେ ଚୂଡାନ୍ତ ଏକାଦଶରୁ ବରୁଣ ଚକ୍ରବର୍ତ୍ତୀଙ୍କୁ ବାଦ୍ ଦିଆଯିବାର ଅଧିକ ସମ୍ଭାବନା ରହିଛି । ଯଦି ଟିମ୍ ମ୍ୟାନେଜମେଣ୍ଟ ଅକ୍ଷର ପଟେଲଙ୍କୁ ବାହାରେ ବସାନ୍ତି ତେବେ ଭାରତୀୟ ବ୍ୟାଟିଂରେ ଅଧିକ ଗଭୀରତା ରହିବ ନାହିଁ । ଏମିତିରେ ବ୍ୟାଟରଙ୍କ ଉପରେ ଅଧିକ ଚାପ ରହିବ ।
ପାକିସ୍ତାନ ବିପକ୍ଷରେ ଏମିତି ରହିପାରେ ଚୂଡାନ୍ତ ଏକାଦଶ
ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ/ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରା ।
Also read: ଏତେ ତର ତର କାହିଁକି ହେଉଛ ? ଏସିଆ କପରେ ଭାରତ-ପାକ୍ ମ୍ୟାଚ୍ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ