ଭୁବନେଶ୍ୱର: ଓଡିଶାର ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ କଳାକୃତି ମାଧ୍ୟମରେ ପ୍ରଭୁ ରାମଙ୍କ ପ୍ରତି ସେମାନଙ୍କ ଭକ୍ତି, ପ୍ରେମ ପ୍ରଦର୍ଶନ କରୁଛନ୍ତି। ସେମିତି ଜଣେ କଳାକାର ହେଉଛନ୍ତି ପୁରୀ କୁମ୍ଭାରପଡାର ୨୨ ବର୍ଷୀୟ ଯୁବଶିଳ୍ପୀ ଶାଶ୍ଵତ ରଞ୍ଜନ ସାହୁ। ସେ ଦିଆସିଲି କାଠିରେ ଅଯୋଧ୍ୟାର ପ୍ରଭୁ ରାମଙ୍କ ଦିବ୍ୟ ମନ୍ଦିର ତିଆରି କରି ଚର୍ଚ୍ଚା ସାଉଁଟିଛନ୍ତି। ୧,୪୨୩ଟି ଦିଆସିଲି କାଠିରୁ ଏକ ସୁନ୍ଦର ରାମ ମନ୍ଦିର ମଡେଲ୍ ସେ ତିଆରି କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ତାଙ୍କୁ ପ୍ରାୟ ୧୪ ଦିନ ସମୟ ଲାଗିଥିଲା।
ତେବେ ଶାଶ୍ୱତ ନିଜ ଏହି କଳାକୃତିକୁ ନେଇ ରାଜଭବନରେ ପହଞ୍ଚି ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସହ ସାକ୍ଷାତ୍ କରିଥିଲେ । ରାଜ୍ୟପାଳ ତାଙ୍କ ଏହି କଳାକୃତିକୁ ପ୍ରଶଂସା କରିଥିଲେ। ନିଜ କଳାକୁ ନେଇ ଶାଶ୍ୱତ କହିଛନ୍ତି ଯେ, “ଦିଆସିଲି କାଠି କଳା କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ମୋ ପାଇଁ ଆମ ସଂସ୍କୃତି ପ୍ରଚାର ପ୍ରସାରର ମାଧ୍ୟମ”। ରାଜ୍ୟପାଳଙ୍କ ପ୍ରଶଂସା ଓ ଆଶୀର୍ବାଦ ମୋତେ ଆଗାମୀଦିନରେ ଆହୁରି ଶ୍ରେଷ୍ଠ କାମ କରିବା ପାଇଁ ପ୍ରେରଣା ଦେଇଛି।”