ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସ୍ତରୀୟ 'ଏକ୍ ପେଡ୍ ମାକେ ନାମ୍ ୨.୦'ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାମ୍ର କଲେଜ ପରିସରରେ ବୃକ୍ଷ ରୋପଣ କରି ଲଗାଇଛି । ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବା ସୂଚନା ମିଳିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଶୁଭେଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମୋଦୀଙ୍କ 55 ବର୍ଷର ରାଜନୈତିକ ଯାତ୍ରା ଅବସ୍ମରଣୀୟ ହୋଇରହିବ । ମୋଦୀ ମା ଭାରତୀର ସେବାରେ ସମ୍ପୂର୍ଣ୍ଣଭାବେ ଉତ୍ସର୍ଗୀକୃତ । ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟରେ ପ୍ରଖର ରାଷ୍ଟ୍ରବାଦ ଏବଂ ଦେଶ ପ୍ରେମର ଝଲକ ଦେଖିବାକୁ ମିଳେ । ରାଷ୍ଟ୍ରହିତ ସର୍ବୋପରି ତାଙ୍କ ପାଇଁ ଏକ ସ୍ଲୋଗାନ ନୁହେଁ, ବରଂ ଜୀବନର ମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜଙ୍ଗଲ ଓ ପରିବେଶ ବିଭାଗର ବିଶେଷ ସହଭାଗିତାରେ ଏହି ବୃକ୍ଷ ରୋପଣ କରାଯାଇଛି । ସକାଳ ୫ଟାରୁ ବୃକ୍ଷ ରୋପଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏଥିପାଇଁ ଜଙ୍ଗଲ ବିଭାଗକୁ ୧୫ ଲକ୍ଷ, ପଞ୍ଚାୟତିରାଜ ବିଭାଗକୁ ୩୪ ଲକ୍ଷ, କୃଷି ବିଭାଗ ୨୩ ଲକ୍ଷ, ଶିଳ୍ପ ବିଭାଗକୁ ୧୫ ଲକ୍ଷ, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସକୁ ୨ ଲକ୍ଷ ୨୦ ହଜାର ଚାରା ରୋପଣ ପାଇଁ ଦାୟିତ୍ୱ ଦିଆଯାଇଛି । ଗାଁ ଗୁଡ଼ିକରେ ୨ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ରହିଥିବାବେଳେ ଏହି ଅଭିଯାନରେ ୪୦, ୦୦୦ ବିଦ୍ୟାଳୟକୁ ସାମିଲ କରାଯାଇଛି ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲୁଥିବା ସେବା ପକ୍ଷ ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦଳୀୟ କର୍ମକର୍ତ୍ତାଙ୍କ ସହିତ ମିଶି ଝାଡ଼ୁ ମଧ୍ୟ ମାରିଥିଲେ ।