ଭୁବନେଶ୍ୱର: ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଡିଜିପି ବୁଧବାର ବିଧାନସଭାରେ ପହଁଚି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ଗୃହ ଭିତରେ, ବାହାରେ ଏବଂ ଏବଂ ବିଧାନସଭା ଗେଟ୍ ବାହାରେ ଫୋର୍ସ ମୁତୟନ କରାଯାଇଛି ।
ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଚାଲିବ ଅଧିବେଶନ । ମାତ୍ର ୭ଟି କାର୍ଯ୍ୟଦିବସ ରହିଥିବାବେଳେ ଗୋଟିଏ ଦିନ ରବିବାର ଯୋଗୁଁ ଛୁଟି ରହିବ । ମୌସୁମୀ ଅଧିବେଶନ ବେଶ ସରଗରମ ରହିବା ଅନୁମାନ କରାଯାଉଛି । ଏଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି । ତେବେ ବିରୋଧୀ ମଧ୍ୟ ଅନେକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରି ପାରନ୍ତି । ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ସାର ଆଦିକୁ ପ୍ରସଙ୍ଗ କରିପାରେ ବିରୋଧୀ ।
ଗତକାଲି ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଯୋଗ ଦେଇଛନ୍ତି ।