ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ପ୍ରକାଶ ପାଇଛି । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୫୬ଟି ନୂତନ ମତଦାନ କେନ୍ଦ୍ର ହୋଇଛି । ଫଳରେ ବୁଥ୍ ସଂଖ୍ୟା ୩୦୨ ରୁ ୩୫୮କୁ ବୃଦ୍ଧି କରାଯାଇଛି । ପୁନଃବ୍ୟବସ୍ଥିକରଣ ପ୍ରକ୍ରିୟା ସମୟରେ ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ନୂଆପଡ଼ାରେ ମୋଟ ୨,୪୮,୨୫୬ ମତଦାତା ଥିବାବେଳେ ସେଥିମଧ୍ୟରୁ ପୁରୁଷ ୧,୨୨,୧୦୩ ଜଣ, ମହିଳା ୧,୨୬,୧୩୨ ଜଣ ଏବଂ ତୃତୀୟ ଲିଙ୍ଗ ୨୧ ଜଣ ଅଛନ୍ତି । ସେହିପରି ବରିଷ୍ଠ ନାଗରିକ ୨୦୦୭ ଜଣ ଥିବାବେଳେ ଯୁବ ମତଦାତା ୬୦୦୩ ଜଣ ଏବଂ ଭିନ୍ନକ୍ଷମ ମତଦାତା ୪୦୦୦ ଜଣ ମତାଦାତା ରହିଛନ୍ତି ।
ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀମାନଙ୍କୁ ସଂଶୋଧନର ସମସ୍ତ ପର୍ଯ୍ୟାୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲା ୟୁନିଟଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ବିଧାନସଭା ମଣ୍ଡଳୀର ଚିଠା ଭୋଟର ତାଲିକାର ସଫ୍ଟ କପି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଛି । ସମସ୍ତ ପ୍ରକ୍ରିୟା ପରେ ଆସନ୍ତା ୯ ତାରିଖରେ ଚୂଡ଼ାନ୍ତି ତାଲିକା ପ୍ରକାଶ ପାଇବ ।