ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଏହି ବୈଠକ ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ଡକାଯାଇଛି । ଆସନ୍ତା ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ବିଧାନସଭା ମୌସୁମୀ ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ଅଛି । ଏହି ମୌସୁମୀ ଅଧିବେଶନରେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ କାଦୁଅ ଫିଙ୍ଗାଫିଙ୍ଗି ହେବ । ସେଥିପାଇଁ ଅଧିବେଶନକୁ କିପରି ସୁରୁଖୁରୁରେ ସମ୍ପାଦନ କରାଯିବ ସେନେଇ ଆଲୋଚନା କରାଯିବ ।
ଅନ୍ୟପଟେ ଆସନ୍ତାକାଲି ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ବିଧାୟକମାନେ ଭିନ୍ନ ଭିନ୍ନ ବୈଠକ କରିବେ ବୋଲି ସୂଚନା ମିଳିଛି । ସେହିପରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକମାନଙ୍କ ବୈଠକ ବସିବା ସମ୍ଭାବନା ରହିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିବେ ।