ଭୁବନେଶ୍ୱର: ଆସନ୍ତା ଗୁରୁବାରଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ମଙ୍ଗଳବାର ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଯୋଗ ଦେଇଛନ୍ତି ।
ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଚାଲିବ । ମାତ୍ର ୭ଟି କାର୍ଯ୍ୟଦିବସ ରହିଥିବାବେଳେ ଗୋଟିଏ ଦିନ ରବିବାର ଯୋଗୁଁ ଛୁଟି ରହିବ । ମୌସୁମୀ ଅଧିବେଶନ ବେଶ ସରଗରମ ରହିବା ଅନୁମାନ କରାଯାଉଛି । ଏଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି । ତେବେ ବିରୋଧୀ ମଧ୍ୟ ଅନେକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରି ପାରନ୍ତି । ମହିଳା ସୁରକ୍ଷା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିପାରେ ବିରୋଧୀ ।
ପୂର୍ବ ଅପେକ୍ଷା ଚଳିତ ମୌସୁମୀ ଅଧିବେଶନ ବିଳମ୍ବରେ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ପ୍ରାୟତଃ ଅଗଷ୍ଟରେ ମୌସୁମୀ ଅଧିବେଶନ ବସେ । ଅଧିବେଶନ ବିଳମ୍ବ ନେଇ ବିରୋଧୀ ସରକାରୀ ଦଳ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ।