ଭୁବନେଶ୍ୱର: ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ଥରେ ଭିକେ ପାଣ୍ଡିଆନଙ୍କୁ ତେରର୍ଚ୍ଛା ବାଣ ମାରିଛନ୍ତି । କିଛି ଲୋକ ଭଣ୍ଡ ସନ୍ନ୍ୟାସୀର ରୂପ ନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି ବୋଲି କହିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀ ମିଶ୍ର ପୁଣି ଥରେ ସୋସିଆଲ୍ ମିଡ଼ିଆରେ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ କଥା କହିଛନ୍ତି । ସେ ଲେଖିଛନ୍ତି, ଏଇ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝା ଙ୍କ ଓ୍ବେବ୍ ସିରିଜ୍ ଦେଖିଲି ଯାହାକି ସନ୍ୟାସ ଓ ସନ୍ୟାସୀ ଉପରେ ଆଧାରିତ ଥିଲା। ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା।
ସନ୍ନ୍ୟାସର ଅର୍ଥ ସଂସାରର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ । କିନ୍ତୁ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ" । ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକାରୀ ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି । ତେବେ ଶ୍ରୀମୟୀ ପାଣ୍ଡିଆନଙ୍କୁ ଏହି ବାଣ ମାରିଛନ୍ତି, ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ପୂର୍ବରୁ ମଧ୍ୟ ଧ୍ରୁତରାଷ୍ଟ୍ର କହି ବାଣ ମାରିଥିଲେ । ବିଜେଡ଼ିରେ କିଏ ଧ୍ରୁତରାଷ୍ଟ୍ର ତାହା କିନ୍ତୁ ସିଏ ସ୍ପଷ୍ଟ କରିଥିଲେ ।