ଶୁକ୍ରବାର ଦିନ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠରେ ଶବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲାର ଶୁଣାଣି ହୋଇଛି। ଏହି ସମୟରେ ଆସ୍ଥା, ପରମ୍ପରା ଏବଂ ସାମ୍ବିଧାନିକ ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷାକୁ ନେଇ ତୀକ୍ଷ୍ଣ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପଞ୍ଚମ ଦିନର ଶୁଣାଣିରେ ‘ଆତ୍ମାର୍ଥମ ଟ୍ରଷ୍ଟ’ ପକ୍ଷରୁ ଓକିଲ ଏମ୍.ଆର୍. ଭେଙ୍କଟେଶ ‘ସମ୍ପ୍ରଦାୟ’ ଶବ୍ଦର ବ୍ୟାଖ୍ୟାକୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ ଅନେକ ମହିଳା ସ୍ୱଇଚ୍ଛାରେ ରଜସ୍ୱଳା ସମୟରେ ମନ୍ଦିର ପ୍ରବେଶରୁ ଦୂରେଇ ରୁହନ୍ତି ଏବଂ ଏହି ପ୍ରଥାକୁ ପରମ୍ପରା ତଥା ବ୍ୟକ୍ତିଗତ ବିଶ୍ୱାସ ଦୃଷ୍ଟିକୋଣରୁ ଦେଖିବା ଉଚିତ।
ଏହା ପୂର୍ବରୁ ୯ ଜଣିଆ ଖଣ୍ଡପୀଠ କହିଥିଲେ ଯେ କୋଟି କୋଟି ଲୋକଙ୍କ ଆସ୍ଥାକୁ ଭୁଲ୍ ପ୍ରମାଣିତ କରିବା ସବୁଠାରୁ କଷ୍ଟକର କାମ। ସାମାଜିକ ସଂସ୍କାର ନାମରେ ଧର୍ମକୁ ଖୋଖଲା କରାଯାଇପାରିବ ନାହିଁ। ଅନ୍ୟପଟେ ବରିଷ୍ଠ ଆଇନଜୀବୀ ରାଜୀବ ଧୱନ ସାମ୍ବିଧାନିକ ଦୃଷ୍ଟିକୋଣ ଉପରେ ଜୋର ଦେଇ କହିଥିଲେ ଯେ, ସମ୍ବିଧାନରେ ନିହିତ କେତେକ ଅଧିକାର ଧାର୍ମିକ ପ୍ରଥାଠାରୁ ଉର୍ଦ୍ଧ୍ୱରେ ଏବଂ ସେଗୁଡ଼ିକୁ ପ୍ରାଥମିକତା ଦିଆଯିବା ଉଚିତ।
ନ୍ୟାୟମୂର୍ତ୍ତି ଅମାନୁଲ୍ଲା କହିଛନ୍ତି ଯେ, ବିଚାରପତିମାନେ ନିଷ୍ପତ୍ତି ଶୁଣାଇବା ସମୟରେ ନିଜର ବ୍ୟକ୍ତିଗତ ଧାର୍ମିକ ବିଶ୍ୱାସରୁ ଉର୍ଦ୍ଧ୍ୱକୁ ଉଠିବା ଉଚିତ ଏବଂ ବ୍ୟାପକ ସାମ୍ବିଧାନିକ ଢାଞ୍ଚା ଦ୍ୱାରା ପରିଚାଳିତ ହେବା ଆବଶ୍ୟକ। ମନ୍ଦିର ପ୍ରଶାସନ (TDB) ଏହି ପ୍ରବେଶକୁ ବିରୋଧ କରି କହିଛି ଯେ, ଶବରୀମାଳା କୌଣସି ଖେଳନା ଦୋକାନ କିମ୍ବା ରେଷ୍ଟୁରାଣ୍ଟ ନୁହେଁ, ଏଠାକାର ଆରାଧ୍ୟ ଦେବତା ଜଣେ ‘ବ୍ରହ୍ମଚାରୀ’। ୨୦୧୮ରେ ସୁପ୍ରିମକୋର୍ଟ ପ୍ରତିବନ୍ଧକ ହଟାଇଥିଲେ ମଧ୍ୟ ଏହା ବିରୋଧରେ ଦାୟର ହୋଇଥିବା ପୁନର୍ବିଚାର ଆବେଦନ ଉପରେ ଏବେ ଶୁଣାଣି ଜାରି ରହିଛି।