ଦିଲ୍ଲୀ ହାଇକୋର୍ଟ ପୋକ୍ସୋ ଆକ୍ଟ ଅଧୀନରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରଦ୍ଦ କରିବା ପାଇଁ ନୂତନ ନିୟମାବଳୀ ସ୍ଥିର କରିଛନ୍ତି। କୋର୍ଟ କହିଛନ୍ତି ଯେ ଅପରାଧିକ ପ୍ରକ୍ରିୟାକୁ ରଦ୍ଦ କରିବା ଆଇନ ବିରୋଧୀ ନୁହେଁ, କିନ୍ତୁ ଏଥିପାଇଁ ଅତ୍ୟନ୍ତ ସାବଧାନତାର ସହ ପୀଡ଼ିତାଙ୍କ ସମ୍ମତି ଏବଂ ପରିସ୍ଥିତିର ମୂଲ୍ୟାଙ୍କନ କରିବାକୁ ହେବ। ଅଦାଲତକୁ ଏହା ନିଶ୍ଚିତ କରିବାକୁ ହେବ ଯେ ପୀଡ଼ିତାଙ୍କ ଉପରେ କୌଣସି ଚାପ ନାହିଁ ଏବଂ ସେ ପ୍ରତାରିତ ହୋଇ ସମ୍ମତି ଦେଉନାହାଁନ୍ତି।
ପୋକ୍ସୋ ଆକ୍ଟରେ ଅନେକ ସମୟରେ ଏପରି ମାମଲା ସାମ୍ନାକୁ ଆସେ, ଯେଉଁଠାରେ ସମ୍ପର୍କଟି ପୁଅ ଏବଂ ଝିଅଙ୍କ ସହମତିରେ ହୋଇଥିବା କୁହାଯାଏ। ଏ ସମ୍ପର୍କରେ ଝିଅଟି ନିଜ ଆଡୁ ସ୍ପଷ୍ଟୀକରଣ ଦେଇଥାଏ। ଝିଅଟି ଆଇନଗତ ଲଢ଼େଇ ନ ଲଢ଼ିବାକୁ ଅନୁରୋଧ କରେ କାରଣ ସେହି କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ବିବାହ ହୋଇସାରିଥାଏ। କିନ୍ତୁ ଝିଅର ବୟସ ୧୮ ବର୍ଷରୁ କମ୍ ହୋଇଥିବାରୁ ତାଙ୍କୁ de-jure victim (ଆଇନଗତ ଭାବେ ପୀଡ଼ିତା) ବୋଲି ଧରି ନିଆଯାଏ। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ଅନୁପ ଜୟରାମ ଭାମ୍ଭାନୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇ ପୋକ୍ସୋ ମାମଲା କେବେ ରଦ୍ଦ କରାଯାଇପାରିବ, ସେ ନେଇ କିଛି ନୀତି ନିର୍ଦ୍ଧାରଣ କରିଛନ୍ତି।
କୋର୍ଟ କହିଛନ୍ତି ଯେ ଏପରି ମାମଲାଗୁଡ଼ିକୁ ରଦ୍ଦ କରିବା ପାଇଁ ତଥ୍ୟ ଏବଂ ପରିସ୍ଥିତିକୁ ଅତି ସାବଧାନତା ଓ ସମ୍ବେଦନଶୀଳତାର ସହ ବୁଝିବା ଆବଶ୍ୟକ।
'କାରଣଗୁଡ଼ିକର ସାବଧାନତାର ସହ ହେଉ ମୂଲ୍ୟାଙ୍କନ'
ଅଦାଲତ କହିଛନ୍ତି ଯେ ଯେତେବେଳେ ପୋକ୍ସୋ ଅଧୀନରେ କୌଣସି ଅପରାଧକୁ ରଦ୍ଦ କରିବା ପାଇଁ ଆବେଦନ କରାଯାଏ, ସେତେବେଳେ କୋର୍ଟଙ୍କୁ ଝିଅଟି କାହିଁକି କୌଣସି କ୍ଷତି ବା ଆଘାତ ପହଞ୍ଚିଛି ବୋଲି ମାନିବାକୁ ମନା କରୁଛି, ସେହି କାରଣଗୁଡ଼ିକର ସୂକ୍ଷ୍ମ ମୂଲ୍ୟାଙ୍କନ କରିବା ଉଚିତ। ସେ କୌଣସି ଚାପରେ ପଡ଼ି ଏପରି କହୁନାହାଁନ୍ତି ତ? ଏଥିପ୍ରତି କୋର୍ଟ ନିଜର ସନ୍ତୁଷ୍ଟି ରେକର୍ଡ କରିବା ଆବଶ୍ୟକ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସେହି ଅପରାଧୀମାନଙ୍କ ପ୍ରତି ସତର୍କ ରହିବା ଉଚିତ ଯେଉଁମାନେ ନିଜ ପକ୍ଷରେ ମାମଲା ରଦ୍ଦ କରିବା ପାଇଁ ପ୍ରତାରଣା ବା ଅସାଧୁ ଉପାୟ ଅବଲମ୍ବନ କରନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ପୁଅ ଓ ଝିଅଙ୍କ ମଧ୍ୟରେ ବୁଝାମଣା ବା ବିବାହ ହୋଇସାରିଛି, ତେବେ ଅଦାଲତ ଦେଖିବାକୁ ହେବ ଯେ ଏହି ସମାଧାନ ପ୍ରକୃତରେ ସତ କି ନାହିଁ, ନା କେବଳ ଆଇନଗତ ପ୍ରକ୍ରିୟାରୁ ବଞ୍ଚିବା ପାଇଁ ଏହା କରାଯାଇଛି।
ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେବା ଜରୁରୀ:
• ପରିବାର: ଉଭୟ ପକ୍ଷ କ’ଣ ଦୀର୍ଘ ସମୟ ଧରି ଏକ ପରିବାର ପରି ଏକାଠି ରହୁଛନ୍ତି?
• ସନ୍ତାନ: ଉଭୟଙ୍କର ସନ୍ତାନ ଅଛନ୍ତି କି, ଯାହାଙ୍କ ଭବିଷ୍ୟତ ମାମଲା ରଦ୍ଦ ନ ହେବା ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବ?
• ହିଂସା: ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ିତାଙ୍କ ସହ କୌଣସି ପ୍ରକାରର ହିଂସା ବା ନିର୍ଯାତନା ଦେବାର ଅଭିଯୋଗ ଅଛି କି?
• ବୟସ: ସମ୍ପୃକ୍ତ ସମୟରେ ଅଭିଯୁକ୍ତ ଏବଂ କଥିତ ପୀଡ଼ିତାଙ୍କ ବୟସ କେତେ ଥିଲା?