ପଶ୍ଚିମବଙ୍ଗ ନିର୍ବାଚନ ମଧ୍ୟରେ ମମତା ବାନାର୍ଜୀଙ୍କ ଭବାନୀପୁର ପ୍ରସ୍ତାବକ ମିରାଜ ଶାହାଙ୍କ ଘରେ ଆୟକର ବିଭାଗର ଚଢ଼ାଉକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ତୃଣମୂଳ କଂଗ୍ରେସ (TMC) ଏହାକୁ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ବୋଲି ଅଭିହିତ କରିଛି। ଟିଏମସି ବିଧାୟକ ଦେବାଶିଷ କୁମାରଙ୍କ ବାସଭବନରେ ଚଢ଼ାଉ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକଙ୍କ ଘରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଶୁକ୍ରବାର ଅପରାହ୍ନରେ ଆୟକର ବିଭାଗର ଅଧିକାରୀମାନେ ଭବାନୀପୁରରୁ ମମତା ବାନାର୍ଜୀଙ୍କ ନାମାଙ୍କନ ପତ୍ରର ଜଣେ ପ୍ରସ୍ତାବକ ମିରାଜ ଶାହାଙ୍କ ଏଲଗିନ୍ ରୋଡ୍ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ମିରାଜ ଶାହା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଭବାନୀପୁର ଏଜୁକେସନ୍ ସୋସାଇଟିର ବୋର୍ଡ ଅଫ୍ ଟ୍ରଷ୍ଟିର ସଦସ୍ୟ। ସୂତ୍ର ଅନୁସାରେ, ଅଧିକାରୀମାନେ ତାଙ୍କର ଗତ ୫-୧୦ ବର୍ଷର ଆୟ-ବ୍ୟୟ ହିସାବ ଯାଞ୍ଚ କରୁଛନ୍ତି।
ଟିଏମସି ନେତା କୁନାଲ ଘୋଷ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, "ଜାଣିଶୁଣି ନିର୍ବାଚନ ମାହୋଲ ଖରାପ କରିବା ପାଇଁ ଏପରି କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକଙ୍କୁ ହଇରାଣ କରିବା ଗଣତନ୍ତ୍ର ପାଇଁ ବିପଜ୍ଜନକ।" ଅନ୍ୟପଟେ, ବିଧାୟକ ଦେବାଶିଷ କୁମାରଙ୍କ ଘର, ଅଫିସ ଏବଂ ତାଙ୍କ ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ କରାଯାଇଛି। ମ୍ୟୁନିସିପାଲିଟି ସହାୟତାରେ ଜମି ଦଖଲ ଏବଂ ବେଆଇନ ନିର୍ମାଣ ଅଭିଯୋଗକୁ ନେଇ କେନ୍ଦ୍ରୀୟ ଏଜେନ୍ସି ଏହି ଯାଞ୍ଚ କରୁଥିବା ଜଣାପଡ଼ିଛି।