ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣୀଙ୍କୁ ବିଜେପି ନେତାଙ୍କ ହତ୍ୟା ମାମଲାରେ ଆଜୀବନ ଦଣ୍ଡ ମିଳିଛି । କଂଗ୍ରେସ ବିଧାୟକଙ୍କ ବ୍ୟତୀତ ଏହି ମାମଲାରେ ସାମିଲ ଅନ୍ୟ ୧୬ ଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ବୁଧବାର ନିର୍ବାଚିତ ପ୍ରତିନିଧିଙ୍କ ସଂପର୍କିତ ମାମଲାର ଶୁଣାଣି ପାଇଁ ଗଠିତ ଏକ ସ୍ୱତନ୍ତ୍ର ଅଦାଲତ ୧୦ ବର୍ଷ ପୁରୁଣା ଏହି ମାମଲାରେ ଶୁକ୍ରବାର ନିଜର ରାୟ ଦେଇଛନ୍ତି ।
ସ୍ୱତନ୍ତ୍ର କୋର୍ଟର ବିଚାରପତି ସନ୍ତୋଷ ଗଜାନନ ଭଟ୍ଟ ସିବିଆଇର ଦାବି ଉପରେ ଅଭିଯୁକ୍ତ ବିଧାୟକ କୁଲକର୍ଣ୍ଣୀ ଓ ତାଙ୍କ ସହଯୋଗୀଙ୍କୁ ଏହି ଜଘନ୍ୟ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ପୂର୍ବରୁ ସିବିଆଇ ଏହି ହତ୍ୟା ଘଟଣାରେ ଷଡଯନ୍ତ୍ର ରଚିବା ଅଭିଯୋଗରେ ଅଭିଯୁକ୍ତୁମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲା । ଅନ୍ୟପଟେ ବିଧାୟକଙ୍କ ଓକିଲ କୁଲକର୍ଣ୍ଣୀଙ୍କ ସାମାଜିକ ସେବା, ରାଜନୈତିକ ପୃଷ୍ଠଭୂମି, ପିଲା ଓ ଅନ୍ୟ ପରିବାର ସଦସ୍ୟଙ୍କ ପ୍ରତି ଥିବା ଦାୟିତ୍ୱକୁ ଦୃଷ୍ଟିରେ ରଖି ସର୍ବନିମ୍ନ ଦଣ୍ଡ ଦେବାକୁ ଅପିଲ୍ କରିଥିଲେ ।
ପୂରା ଘଟଣା କଣ ?
ବିଜେପି ନେତା ଗୋଦାରଙ୍କୁ ୨୦୧୬ରେ ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ୨୦୧୬ ଜୁନ ୧୫ରେ ଧାରବାଡରୁ ବିଜେପି ଜିଲ୍ଲା ପଞ୍ଚାୟତ ସଦସ୍ୟ ଗୋଦାରଙ୍କୁ ତାଙ୍କରି ଜିମରେ ହତ୍ୟା କରାଯାଇଥିଲା । ଏହି ହତ୍ୟାର ଅଭିଯୋଗ ସେହି ସମୟରେ ମନ୍ତ୍ରୀ ଥିବା ବିନୟ କୁଲକର୍ଣ୍ଣୀଙ୍କ ଉପରେ ଲାଗିଥିଲା ।
ସିବିଆଇ ଅନୁସାରେ ଭଡାରେ ନିୟୋଜିତ ହତ୍ୟାକାରୀ ଧାରବାଡର ସପ୍ତପୁର ସ୍ଥିତ ବିଜେପି ନେତାଙ୍କ ଜିମରେ ହମଲା କରିଥିଲେ । ଗୋଦାରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । କଂଗ୍ରେସ ବିଧାୟକଙ୍କ ଏହି ହତ୍ୟାରେ ସଂପୃକ୍ତି ଥିବା ଖବର ମିଳିବା ପରେ ରାଜ୍ୟରେ ରାଜନୀତି ଜୋର ଧରିଥିଲା । ଗୋଦାରଙ୍କ ପରିବାର ଦାବିରେ ତତ୍କାଳୀନ ବିଜେପି ସରକାର ୨୦୧୯ରେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ ।
ସିବିଆଇ ୨୦୨୦ରେ ଚାର୍ଜସିଟ୍ ଦାଖଲ କରିଥିଲା । ଏଥିରେ କଂଗ୍ରେସ ବିଧାୟକ କୁଲକର୍ଣ୍ଣୀଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଯାଇଥିଲା । ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ ରହିଛି ଯେ, କୁଲକର୍ଣ୍ଣୀ ଗୋଦାରଙ୍କୁ ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖୁଥିଲେ । ତାଙ୍କୁ ହତ୍ୟା କରିବା ପାଇଁ ସୁପାରୀ କିଲରଙ୍କୁ ସୁପାରୀ ଦେଇଥିଲେ । ସିବିଆଇ ୨୦୨୦ରେ କୁଲକର୍ଣ୍ଣୀଙ୍କୁ ଗିରଫ କରିଥିଲା ।
୨୦୨୧ ଅଗଷ୍ଟରେ ସୁପ୍ରିମକୋର୍ଟ କିଛି ସର୍ତ୍ତରେ ତାଙ୍କୁ ଜାମିନ ଦେଇଥିଲେ । ଏଥିରେ ଧାରବାଡ ଜିଲ୍ଲାରେ ତାଙ୍କର ପ୍ରବେଶ ଉପରେ କଟକଣା ସାମିଲ୍ ଥିଲା । ହେଲେ ୨୦୨୫ ଜୁନରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଏବଂ ଅଭିଯୋଗକାରୀଙ୍କ ସାକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିବା ଅଭିଯୋଗ ପରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ରଦ୍ଦ କରିଥିଲେ ।